କାନ୍ଥ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏକ ଘର କାମ ପାଇଁ ଖୋଳୁଥିବା ବେଳେ ଚାଲିଗଲା ୨ ଜୀବନ। ତେବେ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଏଭଳି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ ବଅଁରପାଳର ଯାତ୍ରା ପଡ଼ିଆ ନିକଟ ଗୋପୀନାଥ ସାହୁଙ୍କ ନୂଆ ଘର ପାଇଁ ଶନିବାର ପାଇପ୍ କାମ ଚାଲିଥିଲା। ଏହି ସମୟରେ ଦୁଇ ପାଚେରି ତଳୁ ମାଟି ଖୋଳୁଥିବା ବେଳେ ହଠାତ୍ ପାଚେରିଟି ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଲେ ବୁଢ଼ାପଙ୍କ ଗାଁ’ର ଦୀପକ କୁମାର ପରିଡ଼ା(୩୪) ଏବଂ ଅନ୍ୟଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ତପନ କୁମାର ନାୟକ(୩୩)। ଉଭୟେ ବୁଢ଼ାପଙ୍କ ସନ୍ତ୍ରୀ ଛକରେ ଭଡ଼ାରେ ରହୁଥିଲେ । ସେ ଦୁହେଁ ବିବାହିତ ବୋଲି ମଧ୍ୟ ଜଣାଯାଇଛି। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାଯାଇଛି।