ଭିପିଆର୍ ମିସେସ୍ ଇଣ୍ଡିଆ ବ୍ୟୁଟି ପିଜେଣ୍ଟ ଫାଇନାଲରେ ବ୍ରହ୍ମପୁର ଝିଅ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ହରିଡ଼ାଖଣ୍ଡି ନିକଟସ୍ଥ ଶାନ୍ତି ନଗର ୫ମ ଲାଇନ ନିବାସୀ ତଥା ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମସ୍ଥିତ ଏମ୍ଇ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱାନାଥ ସାହୁଙ୍କ ଧର୍ମପତ୍ନୀ ଆଭା ପାଣିଗ୍ରାହୀ (ମାମୁନି) “ଭିପିଆର ମିସେସ୍ ଇଣ୍ଡିଆ ବ୍ୟୁଟି ପିଜେଣ୍ଟ’ର ଫାଇନାଲରେ ପ୍ରବେଶ କରିଛନ୍ତି । ଆଭା ନଭେମ୍ୱର ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ହେବାକୁ ଥିବା ଫାଇନାଲ୍ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ଏହା ପୂର୍ବରୁ ସେ କୋଲକାତାରେ ଅନୁଷ୍ଠିତ ପ୍ରତିଯାଗିତାରେ ଅଂଶଗ୍ରହଣ କରି ଓଡ଼ିଶା ତରଫରୁ ମନୋନୀତ ହୋଇଥିଲେ ।

ବର୍ତ୍ତମାନ ସେ ଫାଇନାଲରେ ମିସେସ ଇଣ୍ଡିଆ ଭାବେ ବିଜେତା ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆଭା ଜଣେ ସୁନ୍ଦରୀ ମହିଳା ହେବା ସାଙ୍ଗକୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସଂଯୋଜନା କରି ପୁରସ୍କୃତ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ଫାଇନାଲରେ ସେ ସଫଳ ହେବା ପାଇଁ ଆଭା ନୃତ୍ୟ, ବ୍ୟାୟାମ୍, ସଂଗୀତ ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି । ମହାନଗର ମହୋତ୍ସବ ଏବଂ ୫୯ ତମ ପୋଲିସ ସହିଦ ଦିବସରେ ସେ କାର୍ଯ୍ୟକ୍ରମର ସଂଯୋଜନା କରି ପୁରସ୍କୃତ ମଧ୍ୟ ହୋଇଛନ୍ତି।

ସେହିପରି ଆକ୍ଟିଭ ବ୍ୟୁଟିସିଆନ୍ ଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ପ୍ରତ୍ୟେକ ମହିଳା ନିଜକୁ ଅବଳା ନଭାବି ଏବଂ ଘର ମଧ୍ୟରେ ନିଜକୁ ସୀମିତ ନରଖି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ପ୍ରକାଶ କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଆଭା ମତପ୍ରକାଶ କରିଛନ୍ତି।