ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଲଳିତକଳା ଏକାଡ଼େମୀର ପ୍ରଦର୍ଶନୀ କକ୍ଷରେ ୭ଜଣ ଓଡ଼ିଆ ଯୁବ ଚିତ୍ରଶିଳ୍ପୀଙ୍କ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଭୋଏଜ୍’ ୨୯ ତାରିଖରେ ଉଦଯାପିତ ହୋଇଯାଇଛି। ଉକ୍ତ ପ୍ରଦର୍ଶନୀକୁ ଲଳିତକଳା ଏକାଡ଼େମୀର ଭାରପ୍ରାପ୍ତ ସଚିବ ରାମକୃଷ୍ଣ ବେଦାଲା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଛବି ଗୁଡ଼ିକର ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଦର୍ଶନୀରେ ଓଡ଼ିଆ ଯୁବଶିଳ୍ପୀ ଅଶୋକ ମହାକୁର, ହୃଦୟାନନ୍ଦ ପଟ୍ଟନାୟକ, ରଜନୀକାନ୍ତ ସାହୁ, ପ୍ରଦୀପ କୁମାର ସାହୁ, ଜୟଶ୍ରୀ ଜେନା, ସତ୍ୟରଞ୍ଜନ ସାହୁ ଓ ରଶ୍ମିରଞ୍ଜନ ରାଉତଙ୍କ ବିଭିନ୍ନ ଶୈଳୀ, ଆକାର ଓ ଅଙ୍ଗ ବିନ୍ୟାସ ଉପରେ ଚିତ୍ର ପର୍ଯ୍ୟବେସିତ ହୋଇଥିଲା ଯାହା ତାଙ୍କର ସୃଜନାତ୍ମକ ସୌନ୍ଦର୍ଯ୍ୟବୋଧର ପରିଭାଷାକୁ ପରିପ୍ରକାଶ କରିଅଛି।
ପ୍ରଦର୍ଶିତ ସମସ୍ତ ଛବିର ପୃଷ୍ଠଭୂମି ବିଭିନ୍ନ ସାମାଜିକ ପ୍ରସଙ୍ଗ ସହିତ ବ୍ୟକ୍ତିଗତ ଅଭିରୁଚି ଉପରେ ଆଧାରିତ ଯାହା ମାନବୀୟ ସଂଚାର ବୌଦ୍ଧିକ, ଆଧ୍ୟାମିକ ଓ ରାଜନୈତିକ ବି·ରଧାରା ଦ୍ୱାରା ପ୍ରଭାବିତ। ଉକ୍ତ ପ୍ରଦର୍ଶନୀଟି ଦିଲ୍ଲୀର ବହୁ ବରିଷ୍ଠ ଚିତ୍ରକର, ଦିଲ୍ଲୀରେ ଥିବା ଓଡିଆ ଚିତ୍ରକର ଏବଂ କଳାନୁରାଗୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।