ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ, ୫ କିମି. ଉଚ୍ଚକୁ ଉଠିଲା ପାଉଁଶ

ଜାକର୍ତ୍ତା,ଏଜେନ୍ସି: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଥିବା ମାଉଣ୍ଟ ସିନାବଙ୍ଗରେ ସୋମବାର ପୁଣି ଥରେ ଆଗ୍ନେୟ ଉଦଗୀରଣ ହୋଇଛି। ଏହା ଫଳରେ ଆକାଶରେ ପ୍ରାୟ ୫ କିଲୋମିଟର ଉଚ୍ଚକୁ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଏକ ବର୍ଷ ଧରି ନିଷ୍କ୍ରିୟ ରହିବା ପରେ ଗତ ଶନିବାର  ପ୍ରଥମଥର ପାଇଁ ଏହି ଆଗ୍ନେୟ ଗିରିରୁ ଉଦଗୀରଣ ହୋଇଥିଲା।  ସୋମବାର ଏଥିରୁ ପୁଣିଥରେ ଉଦଗୀରଣ ଦେଖିବାକୁ ମିଳିଛି।  ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କୁ ସତର୍କ କରି ଦିଆଯାଇଛି। ଲାଭା ନିର୍ଗତ ହେଉଥିବାରୁ ଜନସାଧାରଣଙ୍କୁ ଏହି ଆଗ୍ନେୟ ଗିରି ଠାରୁ ଅତି କମରେ ୩ କିଲୋମିଟର ଦୂରରେ ରହିବାକୁ କୁହାଯାଇଛି।