୧୪ ହଜାର କୋଟି ଟିକସ ବିବାଦ ମାମଲାରେ ଭୋଡାଫୋନ୍ ବିଜୟୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସରକାରଙ୍କ ସହ ବ୍ରିଟେନର ଭୋଡାଫୋନ୍ ଗ୍ରୁପ୍‌ର ରହିଥିବା ପ୍ରାୟ ୧୪ ହଜାର ୭୪୨ କୋଟି ଟଙ୍କାର ଟିକସ ବିବାଦ ମାମଲାରେ ଭୋଡାଫୋନ୍ ଗ୍ରୁପ୍‌କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାର ବିଚାର କରି ଦି ହେଗ୍‌ସ୍ଥିତ ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଭୋଡାଫୋନ ସପକ୍ଷରେ ରାୟ ଦେଇଥିବା ବେଳେ କମ୍ପାନୀ ଆଶ୍ୱସ୍ତ ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ଭୋଡାଫୋନ୍ ଉପରେ ଯେଉଁ ଆକାରର ଟିକସ ସମେତ ସୁଧ ଏବଂ ପେନାଲ୍ଟି ଜାରି କରାଯାଇଛି ତାହାକୁ ଉପରୋକ୍ତ ଅଦାଲତ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଥିବା ବେଳେ ଏଭଳି ଟିକସ ଲାଗୁ କରି ଭାରତ ସରକାର ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ନିବେଶଭିତ୍ତିକ ଚୁକ୍ତିର ଖିଲାପ କରିଛନ୍ତି ବୋଲି କହିଛନ୍ତି।

କେବଳ ସେତିକି ନୁହେଁ, ଭାରତ ସରକାରଙ୍କ ପକ୍ଷରୁ ଭୋଡାଫୋନ୍ ଗ୍ରୁପ୍ ଉପରେ ଯେଉଁ ଟିକସ ଲାଗୁ କରାଯାଇଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଏହି ମାମଲାର ବିଚାର ପାଇଁ ଭୋଡାଫୋନ ବ୍ୟୟ କରିଥିବା ୪.୩ ପାଉଣ୍ଡ ତୁରନ୍ତ କମ୍ପାନୀକୁ ଆଂଶିକ କ୍ଷତିପୂରଣ ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କିମ୍ବା ଭୋଡାଫୋନ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ଟିପ୍ପଣୀ ପ୍ରକାଶ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ୨୦୦୭ରେ ଭୋଡାଫୋନ୍ ଗ୍ରୁପ୍ ହଚିସନ୍ ୱାମ୍ପାଓ କମ୍ପାନୀ ଠାରୁ ଭାରତୀୟ ସମ୍ପତ୍ତି ଅଂଶ ଅକ୍ତିଆର କରିଥିବା ବେଳେ ସେତେବେଳେ ଏଥିପାଇଁ ଆବଶ୍ୟକ ଟିକସ ଦେବାକୁ କେନ୍ଦ୍ର ସରକାର ଭୋଡାଫୋନ୍ ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ଏପରିକି ଏହି ମାମଲା ୨୦୧୨ରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ବେଳେ ସୁପ୍ରିମକୋର୍ଟ ମଧ୍ୟ ଭୋଡାଫୋନ୍ ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ଭାରତ ସରକାର ସେ ସମୟରେ ସମ୍ପତ୍ତି ହସ୍ତାନ୍ତର ଆଇନ୍‌ରେ ପରିବର୍ତ୍ତନ କରି ଭୋଡାଫୋନ୍‌କୁ ଟିକସ ପଇଠ କରିବାକୁ ବାଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ମାମଲାର କୌଣସି ସମାଧାନ ନହେବାରୁ ଭୋଡାଫୋନ୍ ୨୦୧୪ରେ ଭାରତ ସରକାରଙ୍କ ବିରୋଧରେ ଆନ୍ତର୍ଜାତିକ ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲା।