ଭାରତୀୟ କର୍ପୋରେଟ୍ ଇତିହାସରେ ପ୍ରଥମ :ଭୋଡାଫୋନ୍ ଆଇଡିଆ’ର ତ୍ରୈମାସିକ କ୍ଷତି ୫୦,୯୨୧ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଟେଲିକମ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟତମ ପ୍ରମୁଖ କମ୍ପାନୀ ଭୋଡାଫୋନ୍-ଆଇଡିଆର ତ୍ରୈମାସିକ(ଜୁଲାଇ-ସେପ୍ଟେମ୍ବର) କ୍ଷତି ପରିମାଣ ୫୦,୯୨୧ କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ଭାରତୀୟ କର୍ପୋରେଟ୍ କ୍ଷେତ୍ରର ପ୍ରଥମ ଘଟଣା ବୋଲି କୁହାଯାଉଛି। ଟେଲିକମ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀମାନଙ୍କ ପାଇଁ ଏଜିଆର୍(ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ) ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଅନୁସାରେ ଘରୋଇ କମ୍ପାନୀମାନଙ୍କ କ୍ଷତି ବଢି ଚାଲିଛି ବୋଲି ବିଭିନ୍ନ କମ୍ପାନୀମାନଙ୍କ ପକ୍ଷରୁ କୁହାଯାଇଛି।

ଏପରିକି ଟେଲିକମ୍ କ୍ଷେତ୍ରରେ କେବଳ ୩ଟି ଘରୋଇ ଏବଂ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ୟବସାୟ କରନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁଥିବା ଭୋଡାଫୋନ ଆଇଡିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦର ଟକ୍କାର ସମ୍ବାଦିକମାନଙ୍କୁ ସୂଚନ ଦେଇ କହିଥିବା ବେଳେ ଏଜିଆର୍ ବ୍ୟବସ୍ଥାକୁ ନେଇ କମ୍ପାନୀ ପକ୍ଷରୁ ଖୁବଶୀଘ୍ର ରିଭ୍ୟୁ ପିଟିସିନ୍ ଦାଖଲ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦେଶର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ରୂପେ ପରିଚିତି ହାସଲ କରିଥିବା ଭୋଡାଫୋନ୍ ଆଇଡିଆ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ପ୍ରକାଶ ପାଇବା ପରେ ଏହା ସବୁଠୁ ଅଧିକ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାପଡ଼ିଥିଲା।

ଏଜିଆର୍କୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କମ୍ପାନୀକୁ ଭାରିମାତ୍ରାର ଖର୍ଚ୍ଚର ପ୍ରାବଧାନ କାରଣରୁ ଭୋଡାଫୋନ୍ ଆଇଡିଆର ଏହି ପରିମାଣର କ୍ଷତି ହୋଇଥିବା କୁହାଯାଇଛି। ଏହା ପୂର୍ବରୁ କୌଣସି ଭାରତୀୟ କର୍ପୋରେଟ୍ ହାଉସର ଏତେ ମାତ୍ରାରେ କ୍ଷତି ହୋଇନଥିଲା। ଗତବର୍ଷ ଏହି ଅବଧିରେ କମ୍ପାନୀର ୪,୮୭୪ କୋଟି ଟଙ୍କା କ୍ଷତି ହୋଇଥିଲା। ଆଲୋଚ୍ୟ ତ୍ରୟମାସରେ କମ୍ପାନୀର ଆୟ ୪୨% ବୃଦ୍ଧି ପାଇ ୧୧,୧୪୬.୪ କୋଟି ଟଙ୍କା ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କମ୍ପାନୀକୁ ୪୪,୧୫୦ କୋଟି ଟଙ୍କାର ବକେୟା ରାଶି ପରିଶୋଧ କରିବାକୁ ହେବ ବୋଲି ଅନୁମାନ କରାଯାଉଛି। କେବଳ ଭୋଡାଫୋନ ଆଇଡିଆ ନୁହେଁ, ଭାରତୀ ଏୟାରଟେଲ ମଧ୍ୟ ପ୍ରଥମଥର ପାଇଁ କ୍ଷତିର ସମ୍ମୁଖୀନ ହୋଇଛି। ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ କମ୍ପାନୀର କ୍ଷତି ୨୯ ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି। ସରକାରଙ୍କ ଦ୍ୱାରା ଆଶ୍ୱସ୍ତି ଏବଂ ଆଇନଗତ ମାମଲାର ସକାରାତ୍ମକ ସମାଧାନ ଉପରେ କମ୍ପାନୀମାନଙ୍କ ବ୍ୟବସାୟ ଜାରି ରହିବା ନିର୍ଭର କରୁଛି। ଭୋଡାଫୋନ ଆଇଡିଆ କମ୍ପାନୀ ଏକ ବିବୃତିରେ କହିଛି ଯେ, ଏଜିଆର୍ ଉପରେ କୋର୍ଟଙ୍କ ନିଷ୍ପତ୍ତି ଦୂରସଞ୍ଚାର ଉଦ୍ୟୋଗର ବିତ୍ତୀୟ ସ୍ଥିତି ଉପରେ ବଡ଼ଧରଣର ପ୍ରଭାବ ପକାଇବ।

କ୍ଷତି ସତ୍ୱେ ବଢ଼ିଲା ଶେୟାର୍ ମୂଲ୍ୟ

ଭୋଡାଫୋନ୍ ଆଇଡିଆର ତ୍ରୟମାସିକ ଫଳାଫଳ କମ୍ପାନୀକୁ ହତୋତ୍ସାହିତ କରିଥିବାବେଳେ ଏହାର ଶେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ କମ୍ପାନୀକୁ ୫୦ ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ସତ୍ତେ୍ୱ ଶେୟାର ବଜାର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି। ଯାହାଫଳରେ ସକାଳ ପର୍ଯ୍ୟାୟରେ କମ୍ପାନୀର ଶେୟାର ମୂଲ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ଶେୟାର ପ୍ରତି ୩.୨୫ ଟଙ୍କା ରହିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟ କାରବାରରେ ଏହାର ଶେୟାର ମୂଲ୍ୟରେ ୪.୪୧ ପ୍ରତିଶତ ହ୍ରାସ ଘଟି ପ୍ରତି ଶେୟାର ମୂଲ୍ୟ ୩.୦୮ ଟଙ୍କାକୁ ଖସିଆସିଥିଲା।