ଭିକାରୀଙ୍କୁ ଦିଆଯିବ ଧନ୍ଦାମୂଳକ ପ୍ରଶିକ୍ଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରିବା ସହ ସମସ୍ତ ସୁବିଧା ସୁଯୋଗ ଯେପରି ସେମାନଙ୍କୁ ପ୍ରଦାନ କରାଯିବ ସେଥିଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ଲୁପ୍ରିଣ୍ଟସ୍ ପ୍ରସ୍ତୁତ କରିଛନ୍ତି। ତେବେ ସରକାର ଖୁବଶୀଘ୍ର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏଣିକି ଭିକ୍ଷା ମାଗୁଥିବା ଲୋକଙ୍କ ପାଇଁ ଖୋଲାଯିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର। ସେମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନେ ଯେପରି ଅଧିକ ଆୟ କରିବାରେ ସଫଳ ହେବେ ସେଥିଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ୟବସ୍ଥା ହେଉଛି ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ ପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀ ଏବଂ ଭୁବନେଶ୍ୱରରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ଏହା ତାଙ୍କ ଆର୍ଥିକ କଷ୍ଠ ଦୂର କରିବ। ତେବେ ପାଇଲଟ ପ୍ରକଳ୍ପ ଭାବେ ଏହି ୨ଟି ସହରରେ ଖୋଲାଯିବା ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ବପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ପୂରୀ ଶ୍ରୀ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି। ଏବେ ସରକାର ଭିକାରୀଙ୍କୁ ରୋଜଗାରକ୍ଷମ କରିବା ଏବଂ ସେମାନଙ୍କର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ପ୍ରକାଶଥାଉ କି, ରାଜ୍ୟରେ ଧନ୍ଦାମୂଳକଶିକ୍ଷା ମାଧ୍ୟମରେ ଦକ୍ଷତା ବୃଦ୍ଧି କରିବା ସହ ପିଲାଙ୍କୁ ନିଯୁକ୍ତିର ସୁବିଧା ଯୋଗାଇବା ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ସ୍କୁଲ ଏବଂ କଲେଜସ୍ତରରେ ଏହି ଧନ୍ଦାମୂଳକଶିକ୍ଷା ପାଠ୍ୟକ୍ରମ ପ୍ରଚଳନ ହେବା ଦ୍ୱାରା ଉଚ୍ଚଶିକ୍ଷା ସମେତ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସୁଧାର ଆସିଛି। ତେଣୁ ଯେଉଁମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କର ଦକ୍ଷତା ବୃଦ୍ଧି ଲାଗି ଧନ୍ଦାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥା ଯୋଗାଇଦେଲେ ଭିକ୍ଷାବୃତ୍ତି ଠାରୁ ଦୂରେଇ ରହିବା ସହ ନିଯୁକ୍ତି ମାଧ୍ୟମରେ ଅର୍ଥ ଉପାର୍ଜନରେ ବେସ ସହାୟକ ହେବ ବୋଲି ଜଣାପଡିଛି।