ବିଭିନ୍ନ ସାମାଜିକ ସଂଗଠନ ଓ ସମ୍ପ୍ରଦାୟଙ୍କ ସହ ଆଲୋଚନା କଲେ ୫-ଟି ସଚିବ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ୫-ଟି ସଚିବ ଭିକେ ପାଣ୍ଡିଆନ ୨ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ଜୟପୁର ଏୟାରପୋର୍ଟରେ ପହଞ୍ଚି ନବରଙ୍ଗପୁରର ପିଡବ୍ଲ୍ୟୁଡି ଡାକ ବଙ୍ଗଳାରେ କିଛି ସମୟ ରହିବା ପରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାର ବିଧାନସଭା ଓ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୫ଟି ସାମାଜିକ ସଙ୍ଗଠନ କର୍ମକର୍ତ୍ତା ଓ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସମେତ ୨୨ଟି କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଜିଲ୍ଲାର ବିକାଶ ଓ କ’ଣ ସବୁ ସୁବିଧା ଅସୁବିଧା ରହିଛି ସେବିଷୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଏହାସହ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଟିର୍ଲି ଆମ୍ବଗୁଡ଼ାସ୍ଥିତ ଅନ୍ୱେଶା ହଷ୍ଟେଲରେ ଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ସହ ରାତ୍ରି ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ଗସ୍ତର ପାଣ୍ଡିଆନଙ୍କ ସହ ସଚିବ ଭିନିଲ କ୍ରୀଷ୍ଣା ଓ ରୂପା ରୋସନ ସାହୁ ମଧ୍ୟ ଅଛନ୍ତି । ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର, ଏସପି ଏସ.ସୁଶ୍ରୀ ଓ ଜିଲ୍ଲାପରିଷଦ ସିଡିଓ ଅନ୍ୟା ଦାସଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ପାଣ୍ଡିଆନଙ୍କ ଜିଲ୍ଲାର ଉମରକୋଟ ଓ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।