ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ବିଷ୍ଣୁ ପଦ ସେଠୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶ୍ରୀ ବିଷ୍ଣୁ ପଦ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ସଂସ୍କୃତି ବିଭାଗ ଏକ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ହୋଇଥିବାବେଳେ ରାଜ୍ୟ ଐତିହ୍ୟର ସୁରକ୍ଷା ଦିଗରେ ଅନେକ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ। ଆଗାମୀ ଦିନରେ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ଅନନ୍ତ ବିଜୟ ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ।

ଜଣେ ସୁଲେଖକ ଭାବେ ଶ୍ରୀ ସେଠୀଙ୍କ ସୁନାମ ରହିଥିବାବେଳେ ସଂସ୍କୃତି ପ୍ରତି ତାଙ୍କର ଗଭୀର ଅଭିରୁଚି ରହିଛି। ତାଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ବିୟଣ୍ଡ ଫିଲିଂସ୍‌’, ‘ମାଇଁ ଓ୍ୱାଲର୍ଡ ଅଫ୍‌ ଓ୍ୱାର୍ଡସ୍‌’ ଓ କବିତା ‘ହୋୟାର ସାଲ୍ ଆଇ ଗୋ’ ପ୍ରକାଶିତ ହୋଇଛି। ସେହିପରି କବିତା ‘ହୋୟାର ସାଲ୍‌ ଆଇ ଗୋ’ର ଉର୍ଦ୍ଦୁ ଓ ହିନ୍ଦୀ ସଂସ୍କରଣ ବହୁ ପାଠକୀୟ ଆଦୃତି ଲାଭ କରିଛି।