ପିଏମ ମୋଦୀ ଏବଂ ଅଷ୍ଟ୍ରେଲିଆର ପିଏମ ମାରିସନ୍‌ଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍। ଏହା ପ୍ରଥମ ଥର ହେବାକୁ ଯାଉଛି ଯାହାକି ଭାରତର ପ୍ରଧାନମନ୍ତ୍ରୀ ଜଣେ ବିଦେଶୀ ନେତା ସହ ଦ୍ୱିପାକ୍ଷିୟ ଅନ୍‌ଲାଇନ୍‌ ଶିଖର ସମ୍ମିଳନୀ ରେ ଭାଗ ନେବାକୁ ଯାଉଛନ୍ତି। ଦୁଇ ଦେଶର ଦ୍ୱିପାକ୍ଷିକ ରଣନୀତି ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ବିଚାରବିମର୍ସ ହେବ। ଦୁଇ ଦେଶ ମଧ୍ୟରେ ପୁଞ୍ଜି ଓ ବ୍ୟବସାୟକୁ ବଢାଇବା ଦିଗରେ ଏହି ଭର୍ଚୁଆଲ ସାକ୍ଷାତର ମୁଖ୍ୟ ଉଦ୍ଦେଶ୍ୟ ରହିବ।

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ନେଇ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଥିଲା ହେଲେ ବର୍ତ୍ତମାନ ପରିସ୍ଥିତିରେ ଏହି ଗସ୍ତ ଆଉ ଆୟୋଜିତ ହୋଇପାରିବ ନାହିଁ। ଏହା ପରେ ଏକ ‘ଭର୍ଚୁଆଲ୍ ଶିଖର ସମ୍ମିଳନୀ’ ଆୟୋଜନ କରିବାକୁ ଉଭୟ ଦେଶ ରାଜି ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିବେ। ଏହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଦୃଢ ସମ୍ପର୍କର ଶକ୍ତି ଦର୍ଶାଉଥିବା ନେଇ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି।