ବିରାଟଙ୍କୁ ଅବସାଦରୁ କାଢ଼ିବାରେ ସାହାଯ୍ୟ କରିଥିଲେ ସଚ୍ଚିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ମଧ୍ୟ ଅତୀତରେ ଅବସାଦ ଦେଇ ଗତି କରିଥିଲେ। ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ସେ ଅବସାଦଗ୍ରସ୍ତ ଥିବା ନେଇ ନିଜେ କୋହଲୀ ସ୍ୱୀକାର କରିଛନ୍ତି। ନିକଟରେ ନିଜେ କୋହଲୀ ଖୁଲାସା କରିଛନ୍ତି କି, ସେ ଅବସାଦରେ ଥିବା ସମୟରେ ସଚ୍ଚିନ ତେନ୍ଦୁଲକର ତାଙ୍କୁ ସାହାଯ୍ୟ କରିଥିଲେ। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚ୍ଚିନଙ୍କ ସହ ହୋଇଥିବା ଏକ ଆଲୋଚନା ତାଙ୍କୁ ଏକ ନୂଆ ଦିଶା ଦେଇଥିଲା। ବିରାଟଙ୍କ ଏହି ଖୁଲାସା ଉପରେ ଏବେ ସଚ୍ଚିନ ପ୍ରତିକ୍ରିୟା ଦେଇଛନ୍ତି।

ସଚ୍ଚିନ କହିଛନ୍ତି ଯେ, ‘ବିରାଟ କୋହଲୀ ନିଜ ସଫଳତା ଓ ଏପ୍ରକାର ବ୍ୟକ୍ତିଗତ ଅନୁଭବକୁ ସେୟାର କରିବା ପଦକ୍ଷେପକୁ ନେଇ ମୁଁ ବେଶ୍ ଗର୍ବିତ। ବର୍ତ୍ତମାନ ସମୟରେ ଯୁବପୀଢ଼ୀଙ୍କୁ ସୋସିଆଲ ମିଡିଆରେ ପରଖା ଯାଉଛି। ହଜାରେ ଲୋକ ସେମାନଙ୍କ ବିରୁଦ୍ଧରେ ଆଲୋଚନା କରୁଛନ୍ତି କିନ୍ତୁ କେହି ବି ତାଙ୍କ ସହ କଥା ହେଉନାହାନ୍ତି। ତେଣୁ ଆମେ ସେମାନଙ୍କୁ ଶୁଣିବା ସହ ପରାମର୍ଶ ଦେବାର ଆବଶ୍ୟକତା ରହିଛି।’