ପଶ୍ଚିମବଙ୍ଗ ହିଂସାକାଣ୍ଡ: ରାଜ୍ୟପାଳଙ୍କ ସହ କଥା ହେଲେ ମୋଦୀ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗରେ ଗତ ୨ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟରେ ହିଂସାକାଣ୍ଡ ଲାଗିରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରିବା ପରେ ଏବେ ବିଜେପି ଏବଂ ଶାସକ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ହିଂସାତ୍ମକ ରୂପ ନେଇଛି। ଏପର୍ଯ୍ୟନ୍ତ ୬ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି। ଗତ ଦୁଇଦିନ ମଧ୍ୟରେ ୧୧ଜଣ ପ୍ରାଣ ହରାଇଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଜ୍ୟପାଳ ଜଗଦୀପ ଧନକରଙ୍କ ସହ ଫୋନରେ ପରିସ୍ଥିତି ସମ୍ପର୍କରେ ଆଲୋଚନା କଲାବେଳେ ଉଦ୍ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ପଶ୍ଚିମବଙ୍ଗରେ ହିଂସାକାଣ୍ଡ ରୋକିବା ଲାଗି କେନ୍ଦ୍ରୀୟ ସୁରକ୍ଷାବାହିନୀ ମୁତୟନ କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ଆବେଦନରେ କୁହାଯାଇଛି। ବିଜେପିର ମୁଖପାତ୍ର ଗୌରବ ଭାଟିଆ ସୁପ୍ରିମକୋର୍ଟରେ ଦାୟର କରିଥିବା ପିଟିସନରେ ଏହି ହିଂସାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଏହି ଘଟଣାର ସ୍ଥିତି ରିପୋର୍ଟ ମଗାଯିବାକୁ ସେ ଦାବି କରିଛନ୍ତି।
ମୋଦୀଙ୍କ ସହ ତାଙ୍କର ଆଲୋଚନା ସମ୍ପର୍କରେ ରାଜ୍ୟପାଳ ଧନକର ଟ୍ୱିଟ୍ କରି କହିଛନ୍ତି, ‘ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତି ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି।’ ତୁରନ୍ତ ଆଇନଶୃଙ୍ଖଳାରେ ସୁଧାର ଅଣାଯିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।