ତ୍ରିପୁରାରେ ହିଂସା: ପୁଲିସ ଗୁଳିରେ ୨ ମୃତ

ଅଗରତାଲା,ଏଜେନ୍ସି: ତ୍ରିପୁରାର ରାଜଧାନୀ ଅଗରତାଲା ନିକଟବର୍ତ୍ତୀ ପାନିସାଗର ସହରରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀକଙ୍କୁ ଘଉଡାଇବାକୁ ଶନିବାର ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ଦୁଇଜଣ ପ୍ରାଣ ହରାଇଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଥିବାବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାର ମିଜୋରାମରୁ ପ୍ରାୟ ୩୫,୦୦୦ ଶରଣାର୍ଥୀଙ୍କୁ ତ୍ରିପୁରା ଆଣି ପୁନଃଥଇଥାନ କରୁଥିବା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ବିକ୍ଷୋଭ ଆୟୋଜିତ ହୋଇଛି। ଛାତ୍ର, ମହିଳା, ପୁରୁଷ ଓ ଶିଶୁଙ୍କ ସମେତ ପ୍ରାୟ ୧୫,୦୦୦ ବିକ୍ଷୋଭକାରୀ ବିଗତ ଏକ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦେବାସହିତ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଆସୁଛନ୍ତି। ସରକାରଙ୍କ କୌଣସି କଟକଣାକୁ ସେମାନେ ଖାତିର କରୁନାହାନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖ ଓ ମାର୍କେଟ ସ୍ଥଳରେ ଏମାନେ ପ୍ରତିବାଦ ସଭା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ପ୍ରକାଶ। ଗତ ମଙ୍ଗଳବାର ଶରଣାର୍ଥୀମାନେ ୨୬ ଜଣ ସ୍ଥାନୀୟ ଲୋକଙ୍କ ଘର ଉପରେ ଆକ୍ରମଣ କରିବାପରେ ସ୍ଥିତି ଜଟିଳ ହୋଇପଡିଥିଲା।

ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା କରିବା ସହ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ଏଥିରେ ରବିବାର ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ହିଂସାତ୍ମକ କାର୍ଯ୍ୟ ବୃଦ୍ଧି ପାଇବାପରେ ଏହାକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ତ୍ରିପୁରା ଷ୍ଟେଟ ରାଇଫଲ୍ସର ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ସେମାନେ ପ୍ରଥମେ ଫାଙ୍କା ଗୁୁଳିଚାଳନା କରିଥିଲେ। ତେବେ ଏହା ଫଳପ୍ରଦ ନ ହେବାରୁ ପୁଲିସ ବାଧ୍ୟହୋଇ ଗୁଳି ଚଳାଇଥିଲେ। ଫଳରେ ଦୁଇଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି।