ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ମୁଙ୍ଗେରରେ ହିଂସାକାଣ୍ଡ, ଜଣେ ମୃତ

ମୁଙ୍ଗେର, ଏଜେନ୍ସି: ବିହାରର ମୁଙ୍ଗେରରେ ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଛି। ସଂଘର୍ଷ ସମୟରେ ଗୁଳିମାଡରେ ଜଣେ ୧୮ ବର୍ଷ ବୟସର ଯୁବକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ହିଂସାକାଣ୍ଡ ରାଜ୍ୟ ଆଇନଶୃଙ୍ଖଳା ସ୍ଥିତିକୁ ବିଗାଡ଼ି ଦେଇଛି। ଅନ୍ୟପକ୍ଷରେ ସଂଘର୍ଷକାରୀମାନେ ପୁଲିସ ଉପରକୁ ଢେଲାପଥର ମାଡ଼ କରିବାରୁ ପ୍ରାୟ ୨୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡିଛି। ପୁଲିସ ପକ୍ଷରୁ କୁହାଯାଇଛି, କିଛି ସମାଜ ବିରୋଧୀ ତତ୍ୱ ପୁଲିସକୁ ଟାର୍ଗେଟ୍ କରି ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ଗଲାବେଳେ ଅସାମାଜିକ ତତ୍ୱମାନଙ୍କ ସହ ପୁଲିସର ସଂଘର୍ଷ ହୋଇଥିଲା। ଏପରିକି ପୁଲିସ ଉପରକୁ ଗୁଳି ଚଳାଇବାକୁ ସୁଦ୍ଧା ସେମାନେ ପଛଘୁଞ୍ଚା ଦେଇନଥିଲେ। ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣକ ଅନୁରାଗ ପୋଦ୍ଦାର ବୋଲି ଚିହ୍ନଟ କରାଯାଇଛି।