ଭିମସାର ଏଚ୍ଆଇଭି ସଂକ୍ରମିତ ଘଟଣା : ତଦନ୍ତ କଲେ ୫ ଜଣିଆ ଟିମ୍

ସମ୍ବଲପୁର,୩୦ା୧୦/ଏନ୍ଏନ୍ଏସ୍: ବୁର୍ଲା ଭିମସାର ଦନ୍ତରୋଗ ବିଭାଗରେ ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାରକୁ ନେଇ ଉପୁଜିଥିବା ବିବଦୀୟ ସ୍ଥିତିର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ ଜଣିଆ କମିଟି ଘୋଷଣା କରାଯାଇଛି। ଭିମସାରର ଛାତି ଓ ଯକ୍ଷ୍ମା ରୋଗ ବିଭାଗ ପ୍ରଫେସର ପ୍ରଭାତୀ ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ଭିମସାର ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡା. ଲାଲମୋହନ ନାଏକ କହିଛନ୍ତି। ହେଲେ ଗତକାଲି ଦନ୍ତରୋଗ ବିଭାଗକୁ ସଂକ୍ରମଣମୁକ୍ତ କରିବା ପାଇଁ ଫ୍ୟୁମିଗେସନ କରାଯିବା ପରେ ଆଜି ବିଭାଗକୁ ଖୋଲାଯାଇଥିବା ଏବଂ ସ୍ୱାଭାବିକ ଭାବେ ରୋଗୀମାନଙ୍କୁ ଚିକିତ୍ସା ହେଇଥିବା ଡା. ନାଏକ କହିଛନ୍ତି।

ଦନ୍ତରୋଗ ବିଭାଗର ଆସୋସିଏଟ୍ ଫ୍ରଫେସର ଡା. ପ୍ରଶାନ୍ତ ସ୍ୱାଇଁ ଏଚ୍ଆଇଭି ସ୍ୱାଇଁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରିବା ପରେ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଥିଲେ ଉଚିତ ହୋଇଥାନ୍ତା, କିନ୍ତୁ ସେ ଗୁରୁତର ତ୍ରୁଟି କରିନ ଥିବା ବେଳେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପରେ ବିଭାଗରେ ଆଉ ଯେଉଁ ୨ ଜଣଙ୍କ ଚିକିତ୍ସା କରାଯାଇଛି ସେମାନେ ଏଚଆଇଭି ସଂକ୍ରମିତ ହେବା କୌଣସି ଆଶଙ୍କା ନାହଁ ବୋଲି ଅଧୀକ୍ଷକ ଡା. ନାଏକ କହିଛନ୍ତି।

ଅପରପକ୍ଷେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରିଥିବା ଡା. ସ୍ୱାଇଁ କହିଛନ୍ତି ଯେ, ସେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ବେଳେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିଥିଲେ। ଏଠାରେ ପ୍ରକାଶ ଥାଉକି ଗତ ୨୮ ତାରିଖ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ଦାନ୍ତ ରୋଗ ବିଭାଗରେ ଚିକିତ୍ସା ପରେ ସଠିକ୍ ପ୍ରୋଟୋକୋଲ ଅବଲମ୍ବନ କରା ନଯାଇ ଆଉ ୨ ଜଣଙ୍କୁ ଚିକିତ୍ସା କରାଯାଇଥିବା ନେଇ ବିଭାଗୀୟ ମୁଖ୍ୟ ଡାକ୍ତର ଅନୁପ୍ କୁମାର ଶତପଥୀ ଗତକାଲି ଭିମସାର ଅଧ୍ୟକ୍ଷ ଥିବା ଡିନ୍ ଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଦାନ୍ତ ବିଭାଗକୁ ସିଲ କରାଯାଇ ଫ୍ୟୁମିଗେସନ କରାଯାଇଥିଲା।