କୁଲଡା କୋଇଲା ଖଣିର ସଂପ୍ରସାରଣକୁ ବିରୋଧ କଲେ ଗ୍ରାମବାସୀ

ସୁନ୍ଦରଗଡ,ଏନ୍ଏନ୍ଏସ୍: କୁଲଡା କୋଇଲା ଖଣିର ସଂପ୍ରସାରଣ ପାଇଁ ହେମଗିରି ବ୍ଲକର ସିଆରମାଲ ଗାଁ ରେ ଅନୁଷ୍ଠିତ ପଲ୍ଲୀସଭାରେ ଗ୍ରାମବାସୀ ଏମସିଏଲ୍ ତଥା ହମେଗିରି ବ୍ଲକ୍ ପ୍ରଶାସନକୁ ତୀବ୍ର ବିରୋଧ କରିଥିଲେ। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୩୬୫ ଅନୁଯାୟୀ ଏହି ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମବାସୀ ଏହି ବୈଠକକୁ ଆସି ପ୍ରଥମେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରି ପରେ ଜଙ୍ଗଲ ଜମି ପରିବର୍ତ୍ତନ ପଲ୍ଲୀସଭା ଆୟୋଜନ କରିବାକୁ ଦାବି ଜଣାଇ ବୈଠକ ବର୍ଜନ କରିଥିଲେ।

ଏହି ବୈଠକ ପୂର୍ବରୁ ବଲିଙ୍ଗା, ବାଙ୍କିବାହାଲ, ତୁମୁଲିଆ ଓ କୁଲଡା ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ପଲ୍ଲୀସଭାରେ ଏମସିଏଲ ତଥା ହେମଗିରି ବ୍ଲକ୍ ପ୍ରଶାସନ ବିସ୍ଥାପିତଙ୍କ ସମସ୍ତ ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସଭା ପରେ ଗଳାବାଟରେ କୋଇଲା ଖଣିର ସଂପ୍ରସାରଣ କରାଯିବା ପାଇଁ ଯୋଜନା କରୁଥିବା ଅଭିଯୋଗ କରୁଛନ୍ତି ଉକ୍ତ ଗ୍ରାମବାସୀ। ସେହିପରିୂ ନୁତନ ଚିଠି ନକରି ପୁର୍ବ ଚିଠୁ ଅନୁସାରେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ସିଆରମାଲ ବାସୀ ଏସବୁ ଅନୁଧ୍ୟାନ କରି ବୈଠକରେ ବ୍ଲକ୍ ପ୍ରଶାସନ ଓ ଏମସିଏଲର ନୀତିକୁ ବିରୋଧ କରିବା ସହ ବୈଠକ ବର୍ଜନ କରିଥିଲେ। ଏହାଛଡ଼ା ଉକ୍ତ ବୈଠକରେ ବିଧିବଦ୍ଧ ଭାବରେ ବିସ୍ଥାପିତଙ୍କ ସମସ୍ୟାଗୁଡିକୁ ଲିପିବଦ୍ଧ କରିବା ପାଇଁ ଏମସିଏଲ କତ୍ତୃପକ୍ଷ ଓ ନୋଡାଲ ଅଫିସର ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଗ୍ରାମବାସୀ ଏଥିରେ ରାଜି ହୋଇ ନଥିଲେ।

ଏମସିଏଲ୍ କତ୍ତୃପକ୍ଷଙ୍କ ସହ ବୈଠକ ସମୟରେ ବାରମ୍ବାର ବିସ୍ଥାପିତଙ୍କ ସମସ୍ୟା ବାବଦରେ ଉଲ୍ଲେଖ କରାଯାଇଛି ତେଣୁ ଆଉ ସେସବୁ ବିଷୟରେ ଆଲୋଚନା କରିବା କିମ୍ବା ପୁଣି ଲିଖିତ ଭାବରେ ଜଣାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ଗ୍ରାମବାସୀ। ବୈଠକ ବିବରଣୀ ଲିପିବଦ୍ଧ କଲେ ଷଡଯନ୍ତ୍ର କରି କୋଇଲା ଖଣି ସଂପ୍ରସାରଣ କରାଇନେବାର ଭୟ ରହିଥିବା ସନ୍ଦେହ କରି ଗ୍ରାମବାସୀ ଏପରି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି।

ସିଆରମାଲ ଗ୍ରାମର ୪୮ ପରିବାର ଘର ବାବଦକୁ କ୍ଷତିପୁରଣ ପାଇଁ କୋର୍ଟରୁ ଆଦେଶ ପାଇବା ପରେ ମଧ୍ୟ ଏମସିଏଲ୍ କତ୍ତୃପକ୍ଷ ବାରମ୍ବାର ପୁର୍ନବିଚାର ପାଇଁ ଅବେଦନ କରିବା, ଅନେକ ପରିବାରରୁ ଜଣେ ହେଲେ ବ୍ୟକ୍ତି ନିଯୁକ୍ତି ପାଇନଥିବା, ଜଙ୍ଗଲ ଜମି ପଟ୍ଟା ବାବଦକୁ କ୍ଷତିପୁରଣ ଦିଆଯାଇ ନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ତେବେ ଏମସିଏଲ୍ ପକ୍ଷରୁ ବାରମ୍ବାର କେବଳ ଅଭିଯୋଗ ଶୁଣାଣି କରାଯାଇ ବିସ୍ଥାପିତଙ୍କ ସମସ୍ୟାର କୌଣସି ସମାଧାନ ହେଉନଥିବାରୁ ଏମସିଏଲ୍ର କୋଇଲା ସଂପ୍ରସାରଣକୁ ତୀବ୍ର ବିରୋଧ କରାଯିବ ବୋଲି ସିଆରମାଲର ଗ୍ରାମର ଅନୀଲ ଓରାମ କହିଛନ୍ତି।