ହୁଡ଼ି ଲିଜ ମାପକୁ ଗ୍ରାମବାସୀଙ୍କ ବିରୋଧ, ଲିଜ ନେଇ ମଧ୍ୟ ଉତ୍ତୋଳନ କରିପାରୁ ନାହାନ୍ତି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଟାଙ୍ଗରପଡା ଆରଆଇ ସର୍କଲ ଅଙ୍କୁରା ଗ୍ରାମରେ ଥିବା ଏକ ହୁଡ଼ିକୁ ତହସିଲ କର୍ତ୍ତୃପକ୍ଷ ମାପ କରିବାକୁ ଯାଇଥିବା ସମୟରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏହାକୁ ବିରୋଧ କରି ଲିଜ ଦିଆଯିବ ନାହିଁ ବୋଲି ପ୍ରତିବାଦ କରିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଯାଇଥିଲା। ଉତେଜନା ରହିଥିବାରୁ ତହସିଲ କର୍ତ୍ତୃପକ୍ଷ ମାପ ନ କରି ଫେରି ଯାଇଥିବା ଜଣାପଡ଼ିଛି।

ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ସୂଚନା ଅନୁସାରେ ଉକ୍ତ ହୁଡ଼ିକୁ ଦୁର୍ଗା କନଷ୍ଟ୍ରକସନ ନାମକ ଏକ ସଂସ୍ଥାକୁ ଗତ ଫେବୃଆରୀ ମାସରୁ ଲିଜ ଦିଆଯାଇଛି। ଆଜି ଉକ୍ତ ଜାଗାକୁ ଚିହ୍ନଟ କରିବାକୁ ଯାଇଥିବା ସମୟରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଉକ୍ତ ହୁଡ଼ିକୁ ନିଲାମ ଦିଆ ଯିବନାହିଁ ବୋଲି ବିରୋଧ କରିଥିଲେ। ବର୍ତ୍ତମାନ କରୋନା ପାଇଁ ଭିଡ଼ ଉପରେ କଟକଣା ଲାଗି ରହିଥିବାରୁ ପରେ ଏହି ହୁଡ଼ିକୁ ମାପ କରାଯାଇ ଲିଜ ଧାରୀଙ୍କୁ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଅନ୍ୟ ପଟେ ଲିଜ ନେଇ ଥିବା ସମ୍ପୃକ୍ତ ସଂସ୍ଥା ସରକାରଙ୍କୁ ନିଲାମ ଆକାରରେ ୨୨ଲକ୍ଷ ଟଙ୍କା ପୈଠ କରି ମଧ୍ୟ ପଥର ଉତ୍ତୋଳନ କରି ପାରୁନାହାଁନ୍ତି। ଖୁବଶୀଘ୍ର ମାପ କରି ହସ୍ତାନ୍ତର କରିବା ପାଇଁ ସଂସ୍ଥା କର୍ତ୍ତୃପକ୍ଷ ଦାବି କରିଛନ୍ତି।