ପୈତୃକ ଗ୍ରାମରେ ପହଞ୍ଚିଲା ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର, ଲୁହ ଗଡ଼ାଇ ଝୁରୁଛନ୍ତି ଗ୍ରାମବାସୀ

ଭଦ୍ରକ,ଏନ୍ଏନ୍ଏସ୍: ୬୧ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ଦୀର୍ଘଦିନ ଧରି କିଡନୀ ରୋଗରେ ଅସୁସ୍ଥ ରହିଥିଲେ । ସୋମବାର କିଡ଼ନି ସଂକ୍ରମଣ ଓ ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ ଦେହାନ୍ତ ଘଟିଛି । ଏହି ଖବର ବିଷ୍ଣୁ ଚରଣ ସେଠୀଙ୍କ ପୈତୃକ ଗ୍ରାମ ମଙ୍ଗରାଜପୁରରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି ।

ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ମଙ୍ଗରାଜପୁର ଗାଁର ଗୟାଧର ସେଠୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ବିଷ୍ଣୁ ଚରଣ ସେଠୀ । ପତ୍ନୀ ଉର୍ମିଳାରାଣୀ ପୁତ୍ର ସୁରଜ ସୂର୍ଯ୍ୟବଂଶୀଙ୍କ ସହ ସେ ବେଶ ଖୁସିରେ ଥିଲେ । ୨ ଥର ବିଧାୟକ ଥିବା ବିଷ୍ଣୁ ସେଠୀ ଜଣେ ସାହିତ୍ୟିକ, ଲେଖକ ଓ କବି ଭାବେ ବେଶ ଜଣାଶୁଣା ଥିଲେ । ବିଷ୍ଣୁ ସେଠୀଙ୍କ ପରଲୋକରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି । କେବଳ ତାଙ୍କ ପରିବାର କାହିଁକି ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସୋମବାର ସନ୍ଧ୍ୟାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ପହଞ୍ଚିଛି ।

ଭୁବନେଶ୍ବରରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ଏହାପରେ ତାଙ୍କ ପାର୍ଥିବ ଶରୀର ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ପହଞ୍ଚିଛି । ବିଳମ୍ବିତ ରାତିରେ ତାଙ୍କ ଶେଷ କୃତ୍ୟ କରାଯିବ ବୋଲି ଜଣାପଡ଼ିଛି । ଭଦ୍ରକ ସଂସାଦ ମଞ୍ଜୁଲତା ମଣ୍ଡଳ ଗଭୀର ଶୋକ ପ୍ରକାଶ କରିଛନ୍ତି ।