ସଂଗରୋଧ କେନ୍ଦ୍ରକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ରାୟଗଡା,ଏନ୍ଏନ୍ଏସ୍ : ସଂଗରୋଧ କେନ୍ଦ୍ରକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଚାପା ଉତେଜନା ବଢିବାରୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ପୁଲିସ ବଳ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତି ଆପାତଃ ଶାନ୍ତି ପଡିଥିବା ଜଣାପଡିଛି। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ ହଲୁଆ ଗ୍ରାମପଂଚୟତ ଅଧିନ ପୋଡାପାଡି ଗ୍ରାମରେ । ବ୍ଲକ କତୃପକ୍ଷଙ୍କ ଦ୍ୱାରା ଉକ୍ତ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ର କରାଯାଇଥିବାରୁ ଏହାକୁ ତିବ୍ର ବିରୋଧ ଜଣାଇଛନ୍ତି ଗ୍ରାମବାସୀ।

ଗତ କାଲି ରାୟଗଡା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ ସେଠାରେ ପହଂଚି ଲୋକଙ୍କୁ ସଂଗରୋଧକେନ୍ଦ୍ରକୁ ବିରୋଧ ନକରିବା ପାଇଁ ବୁଝାସୁଝା କରିଥିଲେ। ତେବେ ଉପଜିଲ୍ଲାପାଳଙ୍କ କଥା ନଶୁଣି ଆଜି ଗ୍ରାମବାସୀ ସ୍କୁଲ ସମ୍ମୁଖରେ ଗଛ ହାଣି ପକାଇବା ସହ ବିଦ୍ୟାଳୟ ଫାଟକକୁ ତାଲା ପକାଇ ଦେଇଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଗ୍ରାମବାସୀନ୍ଦାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

କରୋନା ମହାମାରୀ ଭୂତାଣୁ ବାୟୁ ଦ୍ୱାରା ବ୍ୟାପୁଛି ଏବଂ ଆଗାମୀ ଦିନର ଉକ୍ତ ପଂଚାୟତ ଲୋକେ ବାହର ରାଜ୍ୟରୁ ଆସି ରହିଲେ ଏହି ମହାମାରୀ ଦ୍ୱାରା ସ୍ଥାନୀୟ ଗ୍ରାମାବୀସଙ୍କୁ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି ଗ୍ରାମବାସୀମାନେ ଅଡି ବସିଥିଲେ। ତେବେ ତହସିଲଦାର ଶ୍ରୀ ବେହେରା ଓ ଅତିରିକ୍ତ ତହସିଲଦାର ଶ୍ରୀ ଖୋରା ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇ ପରିସ୍ଥିତିକୁ ଆୟତ କରିଥିଲେ। କିନ୍ତୁ କିଛି ସମୟ ପାଇଁ ପୁଲିସ ଓ ଗ୍ରାମାବାସୀ ମୁହାଁ ମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିବାରୁ ସେଠାରେ ଅଧିକ ପୁଲିସ ସୁରକ୍ଷା ବଳଙ୍କୁ ଡକାଯାଇ ମୁତୟନ କରିଯାଇଥିବା ଦେଖିବାକୁ ମିଳିଥିଲା।