କଲଭର୍ଟ ନିର୍ମାଣରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କଲେ ଗ୍ରାମବାସୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହେଉଥିବା କଲଭର୍ଟ ନିର୍ମାଣରେ ଅନିୟମିତତା ହେଉଥିବା ନେଇ ଆଜି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତର ଖଡ଼ିକାଝୁଡ଼ି ଛକଠାରୁ ଡାଇଙ୍କ-୩ ଦେଇ କନିଙ୍ଗକୁ ଯୋଗାଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବାନୁଯାୟୀ ଦୀର୍ଘ ବର୍ଷ ଧରି କାର୍ଯ୍ୟଟି ଆରମ୍ଭ ହୋଇଥିଲେ ସୁଦ୍ଧା ଶେଷ ହୋଇପାରି ନାହିଁ। ଏହାସହ ଏହି କଲଭର୍ଟ ନିର୍ମାଣରେ ନିମ୍ନମାନର ମେଟାଲ ଓ ସିମେଣ୍ଟ ବ୍ୟବହାର କରାଯାଉଛି।

ଠିକାଦାର ନିଜ ମନ ମୁତାବକ କାର୍ୟ୍ୟ କରୁଛନ୍ତି। ସେହିପରି ଏହି ରାସ୍ତାର ପ୍ରଥମ କଲଭର୍ଟ ପରେ ଦୁଇ କଡରେ ମାଟି ପକାଇ ଏପରି ରାସ୍ତା ନିର୍ମାଣ କରାଯାଇଛି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା ସେହି ଗ୍ରାମର ବହୁ ଲୋକେ ପଡି ଆହତ ହେଇଛନ୍ତି। ତେଣୁ ତୁରନ୍ତ ସେହି କାର୍ଯ୍ୟର ରୋଡ ମ୍ୟାପ ବଦଳା ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘ ଦିନ ପରେ ସେହି ଅଞ୍ଚଳର ବିକାଶ ନିମନ୍ତେ ସରକାର ରାସ୍ତା ନିର୍ମାଣ କରାଉଛନ୍ତି। ଯଦି ତାହା ନିମ୍ନମାନର ହୁଏ ତାହେଲେ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଛାଡିବେ ନାହିଁ ବୋଲି କହିଛନ୍ତି। ତେଣୁ ଯଦି ସେମାନଙ୍କ ରାସ୍ତା ନିର୍ମାଣରେ ଆଗକୁ ଆହୁରି ଏପରି ନିମ୍ନମାନର କାର୍ଯ୍ୟ ପରିଲକ୍ଷିତ ହୁଏ ତାହେଲେ ଗ୍ରାମବାସୀ ମାଲକାନଗିରି ଆରଡ଼ି ବିଭାଗର କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।