ଗାଁ ପାଇଁ ନିଜ ଘର ଭାଙ୍ଗିଦେଲେ ଗ୍ରାମବାସୀ

ଟିଟିଲାଗଡ଼,ଏନ୍ଏନ୍ଏସ୍: ସାମୂହିକ ସ୍ୱାର୍ଥ ପାଇଁ ନିଜ ଇଚ୍ଛାରେ ଟିଟିଲାଗଡ଼ ବ୍ଲକ୍ ସିହିନି ଗ୍ରାମବାସୀ ଜେସିବିରେ ନିଜ ଘର ନିଜେ ଭାଙ୍ଗି ଦେଇଛନ୍ତି। ଏହି ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ନିଜ ରୟତି ଜମିରେ ତୋଳାଇଥିବା ମାଟି କାନ୍ଥ ଘର, ପକ୍କାଘର, ପାଚେରି ଭାଙ୍ଗି ଗାଁକୁ ରାସ୍ତା ଫିଟାଇଛନ୍ତି। ସୂଚନାଯୋଗ୍ୟ ଯେ ସିହିନି ଗ୍ରାମକୁ ଟିଟିଲାଗଡ଼ ଉପକଣ୍ଠସ୍ଥ ଟିଟିଲାଗଡ଼ କଣ୍ଟାବାଞ୍ଜି ରାସ୍ତାର ତୁର୍ଲା ଗ୍ରାମରୁ ସଂଯୋଗ ରହିଛି।

ଏହି ରାସ୍ତାରେ ଗ୍ରାମର ବହୁ ଛାତ୍ରଛାତ୍ରୀ କଲେଜ ଯିବା ଆସିବା କରୁଥିବା ବେଳେ ରାସ୍ତାଟି ଅପରପଟରେ ସିଧାସଳଖ ମାର୍ଲାଡ଼ ଗ୍ରାମ ଦେଇ କଳାହାଣ୍ଡି ଜିଲ୍ଲା ସେଁପୁର ଠାରେ ଖରିଆର ଭବାନୀପାଟଣାକୁ ସଂଯୋଗ ରହିଛି। ଏହି ରାସ୍ତାର ଉନ୍ନତିକରଣ ପାଇଁ ସିହିନି ସରପଞ୍ଚ ବୀରବର ସାହୁ ପୁର୍ବରୁ ତତ୍କାଳୀନ ସାଂସଦ କଳିକେଶ ନାରାୟଣ ସିଂଦେଓ, ବିଧାୟିକା ଟୁକୁନୀ ସାହୁଙ୍କ ସହ ପୂର୍ତ୍ତମନ୍ତ୍ରୀ ଓ ସଚିବଙ୍କ ଠାରେ ଦାବି ଉପସ୍ଥାନ କରିଥିଲେ।

ତେବେ ଗ୍ରାମ ଭିତର ଅଣଓସାରିଆ ରହିଥିବା ଯୋଗୁଁ ରାସ୍ତା ନିର୍ମାଣ ସମ୍ଭବପର ହେଉନଥିଲା। ଏନେଇ ଗାଁ ଭିତର ରାସ୍ତା ବିଶେଷ କରି ବର୍ଷା ଋତୁରେ ସର୍ବଦା ନର୍ଦ୍ଦମାମୟ ହୋଇ ଯାତ୍ରୀବାହୀ ବସ୍ ସମେତ ବିଭିନ୍ନ ଯାନବାହାନ ଚଳାଚଳରେ ଘୋର ସମସ୍ୟା ସୃଷ୍ଟି ହେଉଥିଲା। ଅପରପକ୍ଷରେ ଅନେକ ଲୋକଙ୍କ ରୟତି ଜମି ରହିଥିବା ନେଇ ଅଧିଗ୍ରହଣ ସମସ୍ୟା, ବିରୋଧ ଆଦି ଚିନ୍ତାରେ ପ୍ରଶାସନ ମନ୍ଥରତା ପ୍ରଦର୍ଶନ ଜାରି ରଖିଥିଲା। ଏନେଇ ବିଭିନ୍ନ ସମୟରେ ଦାବି ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ପକ୍ଷରୁ ଅଣଓସାରିଆ ସ୍ଥାନରେ ରାସ୍ତା କାମ କିଭଳି ହେବ ବୋଲି ଗ୍ରାମବାସୀଙ୍କୁ ପ୍ରଶ୍ନ କରାଯାଇଥିଲା।

ଏନେଇ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଭବିଷ୍ୟତ ପୀଢ଼ିଙ୍କ ସୁବିଧା ଦୃଷ୍ଟିରୁ ରାସ୍ତା ନିର୍ମାଣ ସଂକଳ୍ପ ନିଆଯାଇଥିଲା। ନିଷ୍ପତ୍ତି କ୍ରମେ ରବିବାର ଠାରୁ ଗ୍ରାମବାସୀ ସ୍ୱତଃ ନିଜ ମାଟି ଘର, ପକ୍କା ଘର, ପାଚେରି ଭାଙ୍ଗି ଚାଲିଛନ୍ତି। ନା ପ୍ରଶାସନ ଅଛି, ନା ପୁଲିସ ଜଗିଛି, ଆଜିର ଗଣତନ୍ତ୍ର ଯୁଗରେ ଏହା ଏକ ଭିନ୍ନ ପରମ୍ପରାର ବାହକ ହୋଇ ଉଚ୍ଚ ଆଦର୍ଶ ପ୍ରତିଷ୍ଠା କରିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ସହ ଉଚ୍ଚ ପ୍ରଶଂସା କରାଯାଇଛି।

ଗ୍ରାମର ରୋହିତ ଚନ୍ଦନ, ନୂଆ ଭୋଇ, ସୁଧୀର ମାଝୀ, ସତ୍ୟନାରାୟଣ ହେର୍ଣ୍ଣା, ବୃହସ୍ପତି ଜାନୀ, ଜଗବନ୍ଧୁ ସାହୁ, ବାବୁଲି ଭୋଇ, ଉଜ୍ଜ୍ୱଲ ସାହୁ, ଅଲେଖ ସାହୁ, ତହସିଲ ଭୋଇ, କପିକେତନ ଭୋଇ, ତୁଳସୀ ସାହୁ, ଟିକେଧର ଭୋଇ, ରମେଶ ଛତର, ତପି ଛତର, ବେଣୁଧର ମାଝୀ, ପ୍ରତାପ ନାଏକ, ପ୍ୟାରୀ ଛତର, ରାଧେଶ୍ୟାମ ଛତର, ବୃଷଭ ମାଝୀ, ଗଜିନ ମାଝୀ ପ୍ରମୁଖ ଜମି ଦାନ କରି ଉଚ୍ଚ ଆଦର୍ଶର ଗାଥା ରଚୟିତା ହୋଇଛନ୍ତି। ଗ୍ରାମବାସୀଙ୍କ ମହତ କାର୍ଯ୍ୟକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଥମ ଦଫାରେ ଗ୍ରାମ ଭିତର ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ ଲକ୍ଷ ଟଙ୍କା ମନ୍ତ୍ରୀ ଶ୍ରୀମତୀ ସାହୁ ଘୋଷଣା କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜ୍ଞାପନ କରାଯାଇଛି।

ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା
ଟିଟିଲାଗଡ଼ ବ୍ଲକ୍ ସିହିନି ଗ୍ରାମବାସୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହାକୁ ନେଇ ଗ୍ରାମବାସୀ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଗ୍ରାମବାସୀଙ୍କ ବଦାନ୍ୟତା ତଥା ପ୍ରଶାସନକୁ ସହଯୋଗ ମନୋଭାବ ରାଜ୍ୟ ତଥା ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟଯେ ଗାଁ ଦେଇ ଯାଇଥିବା ରାସ୍ତା ଓସାର ପାଇଁ ଗ୍ରାମବାସୀ ନିଜ ପକ୍ଷରୁ ଜେସିବି ମେସିନ ଲଗାଇ ନିଜ ପକ୍କା ଛାତ ଘର, ମାଟି କାନ୍ଥ ଘର, ପାଚେରି ଭାଙ୍ଗି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଏନେଇ ବୈଠକରେ ୩୩ଟି ପରିବାର ସ୍ୱତଃପ୍ରବୃତ ଭାବରେ ନିଜ ଘରକୁ ଭାଙ୍ଗି ଜାଗା ଛାଡ଼ିବାକୁ ସମ୍ମତି ପ୍ରଦାନ କରିଥିଲେ। ଏନେଇ ବର୍ଷ ବର୍ଷ ଧରି ଅଣଓସାରିଆ ରାସ୍ତା ଓସାର ହେବା ସହ ନର୍ଦ୍ଦମାମୁକ୍ତ ବାଟ ପରିଷ୍କାର ହୋଇଛି। ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଆଉ ପାଦେ ଆଗକୁ ଯାଇ ରାସ୍ତା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୮ ଲକ୍ଷ ଟଙ୍କା ବରାଦ ବ୍ୟବସ୍ଥା କରିସାରିଛନ୍ତି। ଏନେଇ ସର୍ବସାଧାରଣରେ ପ୍ରମୁଖତାର ସହ ଖବର ପ୍ରକାଶନ ପରେ ସ୍ୱଂୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମର ବିକାଶ ନେଇ ନିଶ୍ଚୟ ଅଧିକ ଗୁରୁତ୍ୱ ପ୍ରଦାନ କରିବେ ବୋଲି ସରପଞ୍ଚ ବିରବର ସାହୁ ଆଶା ପ୍ରକାଶ କରିଛନ୍ତି।