୧୫ ଦଫା ଦାବିରେ ଗାଁ ସାଥୀଙ୍କ ଧାରଣା

ବାରିପଦା,ଏନ୍ଏନ୍ଏସ୍: ଗାଁ ସାଥୀ (ମେଟ୍) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡିଆରଡି.ଏ ପରିସରରେ ଗଣଧାରଣା ଦିଆଯାଇଛି। ଜିଲ୍ଲାରେ ୬୦୦୦ରୁ ଅଧିକ ଗାଁ ସାଥି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ତାଙ୍କୁ ମିଳୁନାହିଁ। ଶତାଧିକ ମେଟ କର୍ମୀମାନେ ଆଜି ୧୫ ଦଫା ଦାବି ଉପସ୍ଥାପନ କରିଛନ୍ତି। ସଂଘର ଅଭିଯୋଗ ଅନୁସାରେ ସାରା ରାଜ୍ୟରେ ମନରେଗା କାର୍ଯ୍ୟରତ ୨୦୦୮ର ଗାଁ ସାଥୀଙ୍କ ଭଳି ଜିଲ୍ଲାର କାର୍ଯ୍ୟରତ ଗାଁ ସାଥୀଙ୍କୁ ସେହିଭଳି ସମାନ ନ୍ୟାୟ ମିଳୁନାହିଁ। ଯୋଗ୍ୟ ମେଟମାନଙ୍କୁ ଚିହ୍ନଟ କରି ଉଚିତ ନ୍ୟାୟ ସହ ଜିଲ୍ଲାର ବିଭିନ୍ନ କାର୍ଯ୍ୟରେ ସାମିଲ କରିବାକୁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି।

ଏନେଇ ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ (ଡିଆରଡିଏ)ଙ୍କୁ ସାକ୍ଷାତ କରିବା ସହ ନିଜର ଦାବି ରଖିଛନ୍ତି। ସେମାନଙ୍କ ଦାବି ତୁରନ୍ତ ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ବୋଲି ଗାଁ ସାଥୀ କମିଟି ସଭାପତି କରୁଣାକର ନାୟକ କହିଛନ୍ତି ।