ଚେର ଖୋଜୁଛି ଭିଜିଲାନ୍ସ, କ୍ରାଇମ୍ ବ୍ରାଞ୍ଚ ଏସଆଇଟି : ବ୍ରହ୍ମପୁରରେ ପହଞ୍ଚିଲେ ଆଇଜି

ବ୍ରହ୍ମପୁର,ଏନ୍ଏନ୍ଏସ୍: ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଆଜି ବ୍ରହ୍ମପୁର ଗସ୍ତରେ ଆସି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ଆଇଜିଙ୍କ ଉପସ୍ଥିତିରେ ବରିଷ୍ଠ ପୁଲିସ ଅଫିସର ଟାଟା ଠକେଇ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ କେତେକ ବ୍ୟକ୍ତିଙ୍କୁ ପଚରାଉଚରା କରିଛନ୍ତି। ଆଜି ସନ୍ଧ୍ୟାରେ ଦକ୍ଷିଣାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ଅରାୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ସିହ୍ନା କହିଛନ୍ତି ଯେ ଟାଟା କମ୍ପାନୀର ଅଭିଯୋଗ ଆଧାରରେ ଏକ ମାମଲା ଆକାଶ ପାଠକ ନାମରେ ସାଇବର୍ ଥାନାରେ ରୁଜୁ ହୋଇଥିଲା। ତାହାର ତଦନ୍ତ ପାଇଁ ଗୋଟିଏ ଟିମ୍ ପୁନେ ଯାଇଛି। ଆଉ ଗୋଟିଏ ଟିମ୍ ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗର ତଦନ୍ତ କରୁଛି। କ୍ରାଇମ୍ ବ୍ରାଞ୍ଚ ଆଇଜି ସିହ୍ନା କହିଛନ୍ତି ଯେ ସବୁ ଦିଗରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ଜଡିତ ଥିବା କିଛି ବ୍ୟକ୍ତିଙ୍କୁ ପୁଲିସ୍ ପଚରାଉଚୁରା କରୁଛି। ସେମାନଙ୍କ ବୟାନ ରେକର୍ଡ ହୋଇଛି।
କୁବେର ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କ ଦୁର୍ନୀତିର ଚେର ଖୋଜୁଛି କ୍ରାଇମ୍ ବ୍ରାଞ୍ଚ ଓ ଭିଜିଲାନ୍ସ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)। ପୃଥକ ଟିମ୍ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଅତିରିକ୍ତ ପିସିସିଏଫ୍ ପାଠକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରୋ ଭିଜିଲାନ୍ସ ଏସ୍ଆଇଟିର ତିନି ଜଣିଆ ଟିମ୍ ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ଓ ବନଖଣ୍ଡ କାର୍ଯ୍ୟାଳୟରେ ଚଢ଼ଉ କରି ନଥିପତ୍ର ଯାଞ୍ଚ କରିଛି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢ଼ିଙ୍କ ନେତୃତ୍ୱରେ କଟକରୁ ଆସିଥିବା ୨ ଜଣ ଡିଏସପି ଆଜି ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟ ଜଗନ୍ନାଥପୁରରେ ଥିବା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅତିରିକ୍ତ ଏସପି ଶାନ୍ତନୁ ପାଢ଼ୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୦୮ରୁ ୨୦୧୪ ଯାଏଁ ବନ ଉନ୍ନୟନ ନିଗମ ଜେନେରାଲ ମ୍ୟାନେଜର ଥିବା ଅଭୟକାନ୍ତ ପାଠକଙ୍କ ସମୟରେ ସମସ୍ତ ଆର୍ଥିକ କାରବାର ନଥି ଛାନଭିନ୍ କରିଛନ୍ତି। ବିଶେଷକରି ୨୦୧୩ ଫାଇଲିନ୍ ବାତ୍ୟା ସମୟରେ ଭାଙ୍ଗି ପଡ଼ିଥିବା ମୂଲ୍ୟବାନ ଗଛ ବିକ୍ରି ଓ ପୁନର୍ଗଠନ ବାବଦରେ ମଞ୍ଜୁର ବ୍ୟୟ ପାଣ୍ଠି ବିନିଯୋଗ ସମ୍ପର୍କରେ ଖୋଳତାଡ଼ କରିଛନ୍ତି। ପରେ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ତଦନ୍ତକାରୀ ଟିମ୍। ବ୍ରହ୍ମପୁର ବନଖଣ୍ଡରେ ୨୦୦୪ରୁ ୨୦୦୭ ଯାଏଁ ଡିଏଫଓ ଥିଲେ ଅଭୟକାନ୍ତ। ତାଙ୍କ କାର୍ଯ୍ୟକାଳ ସମୟର ସମସ୍ତ ନଥିପତ୍ର ତନଖି କରିଛନ୍ତି। ତେବେ ଖୋଳତାଡ଼ ଜାରି ରହିବ ବୋଲି ଏଏସପି କହିଛନ୍ତି। ଆସନ୍ତାକାଲି ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ ଆକାଉଣ୍ଟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।
ସେହିପରି ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସ ମ୍ୟାନେଜିଂ ଡାଇରେକ୍ଟର ପରିଚୟ ଦେଇ ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ ଜଣ ଯୁବକଙ୍କୁ ଚାକିରି ଦେବା ଆଳରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗର ଛାନଭିନ୍ କରିଛି କ୍ରାଇମ୍ ବ୍ରାଞ୍ଚ ଏସଆଇଟି। ଗତକାଲି ୨ ଜଣ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଜି ପୁଣି କଟକରୁ ଜଣେ ଡିଏସପିଙ୍କ ନେତୃତ୍ୱରେ ୩ ଜଣ ଇନ୍ସପେକ୍ଟର ଓ ୩ ଜଣ ଏସଆଇ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ତ୍ୱରାନ୍ୱିତ କରିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କ ଘନିଷ୍ଠ ସହଯୋଗୀଙ୍କୁ ଡକାଇ ଜେରା କରିଛି।