କୋଟିପତି ସହକାରୀ ଯନ୍ତ୍ରୀଙ୍କ ଘରୁ ୨.୫ କୋଟି ଟଙ୍କାର ସମ୍ପତି ଠାବ

ଢେଙ୍କାନାଳ, ଅନୁଗୁଳ, ଏନ୍ଏନ୍ଏସ୍ : କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଢେଙ୍କାନାଳ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ସହାୟତାରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଣେ କୋଟିପତି ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କରି ୨.୫ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କାର ସମ୍ପତି ଜବତ କରଛି। କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ବେଳେ ବ୍ୟାଙ୍କ ଲକରରୁ ସୁନା ଅଳଙ୍କାର ଓ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ ଥିବା ଫିକ୍ସ ଡିପୋଜିଟ ଅର୍ଥର ସାର୍ଟିଫିକେଟ ଜବତ କରିଥିବାର ସୂଚନା ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ତାଳଚେର ଗ୍ରାମ୍ୟ ନିର୍ମାଣ ବିଭାଗରେ ସହକାରୀ ଯନ୍ତ୍ରୀଭାବେ କାର୍ଯ୍ୟ କରୁଥିବା ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ଅଂଚଳର ଚନ୍ଦ୍ରମଣି ସାହୁ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବାର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗକୁ ଆଧାରକରି କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ କଟକ ଭିଜିଲାନ୍ସ ବିଭାଗ,ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ସହଯୋଗରେ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣିଙ୍କ ଅନୁଗୁଳ ସ୍ଥିତ ସରକାରୀ ବାସଭବନ, ତାଳଚେର ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଢେଙ୍କାନାଳ ଜିଲ୍ଲାରେ ଥିବା ଢେଙ୍କାନାଳ ପୌରାଞ୍ଚଳର ଟାଉନ ପ୍ଲାନିଂ ସ୍ଥିତ ନିଜସ୍ୱ ବାସଭବନ, ଢେଙ୍କାନାଳ ସହର ହାଟରୋଡରେ ଥିବା ଏକ ଆଜବେଷ୍ଟସ ଘର ଓ ଖଣ୍ଡବନ୍ଧ କାଲୁଣିଗୋଡା ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ଟଙ୍କପାଣିସ୍ଥିତ ବାସଭବନରେ ଏକକାଳୀନ ଚଢାଉ କରାଯାଇଥିଲା।

ଚଢଉ ସମୟରେ ସୁନା ୧ କିଲୋ, ରୁପା ୧ କିଲୋଗ୍ରାମ ମୂଲ୍ୟ ୩୧ ଲକ୍ଷ ଟଙ୍କା,୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ନାମୀଦାମୀ ଘର ଉପକରଣ ସାମଗ୍ରୀ, ନଗଦ ୭୩ ହଜାର ଟଙ୍କା,ବିଭିନ୍ନ ବ୍ୟାଙ୍କରେ ଥିବା ୨୫ଲକ୍ଷ ଟଙ୍କା, ବିଭିନ୍ନ ବୀମା କମ୍ପାନୀରେ ୧୪ ଲକ୍ଷ ଟଙ୍କାର ବଣ୍ଡ,ଟାଉନପ୍ଲାନିଂ ସ୍ଥିତ୧ କୋଟି ୩ ଲକ୍ଷ ଟଙ୍କାର ବିଳାସପୂର୍ଣ୍ଣ ଅଟ୍ଟାଳିକା,ଟଙ୍କପାଣି ସ୍ଥିତ ୨୬ ଲକ୍ଷ ଟଙ୍କାର ଅଟ୍ଟାଳିକା, ୪୦ ଲକ୍ଷ ଟଙ୍କା ମୂଲ୍ୟର ୪ଟି କାର, ଗୋଟିଏ ବୁଲେଟ୍, ଗୋଟିଏ ଆକ୍ଟିଭା ମୋଟରସାଇକେଲ ଓ ବିଭିନ୍ନ ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତିର ଖବର ଲେଖାହେବା ମଧ୍ୟରେ ଭିଜିଲାନ୍ସ ବିଭାଗର ଆକଳନ ଅନୁଯାୟୀ ୨.୫ କୋଟି ଟଙ୍କାର ଉଦ୍ଧ୍ୱର୍ ସମ୍ପତି ଠାବ କରାଯାଇଥିବା ସୂଚନା ମିଳିଛି।