ବିଜୟ ହଜାରେ ଟ୍ରଫି : ଦିଲ୍ଲୀଠାରୁ ହାରିଲା ଓଡ଼ିଶା

ଭଦୋଦରା, ଏଜେନ୍ସି: ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗତ ଦୁଇଟି ମୁକାବିଲାରେ ଓଡ଼ିଶାକୁ ଭିନ୍ନ ଭିନ୍ନ ଫଳ ମିଳିଛି। ଏହା ମଧ୍ୟରୁ ଦଳ ପ୍ରଥମ ମ୍ୟାଚରେ ମହାରାଷ୍ଟ୍ରକୁ ୭ ୱିକେଟରେ ହରାଇଥିଲାବେଳେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀଠାରୁ ୬୩ ରନରେ ହାରିଯାଇଛି। ଏହା ପୂର୍ବରୁ ପଞ୍ଜାବ ବିପକ୍ଷ ମ୍ୟାଚ୍ ବାତିଲ ହୋଇଯାଇଛି। ଶେଷ ହୋଇଥିବା ଅନ୍ୟ ଦୁଇଟି ମ୍ୟାଚ୍ ମଧ୍ୟରୁ ଦଳ ହିମାଚଳ ପ୍ରଦେଶକୁ ୩ ୱିକେଟରେ ହରାଇଥିଲାବେଳେ ହରିଆଣାଠାରୁ ୪ ୱିକେଟରେ ହାରିଯାଇଥିଲା। ଏଲିଟ୍ ଗ୍ରୁପ୍-ବି’ରେ ଓଡ଼ିଶାର ଆଉ ୩ଟି ମ୍ୟାଚ୍ ଖେଳାଯିବାକୁ ବାକି ରହିଛି। ତାହା ମଧ୍ୟରୁ ଆସନ୍ତା ୧୨ରେ ବିଦର୍ଭ, ୧୩ରେ ବରୋଦା ଏବଂ ୧୬ରେ ଉତ୍ତରପ୍ରଦେଶ ସହ ମୁକାବିଲା କରିବ।

ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୯୯ ରନ୍ କରିଥିଲା। ଦଳ ପକ୍ଷରୁ ଯୁବ ୱିକେଟକିପର ଅର୍ଜୁନ ରାୱତ ସର୍ବାଧିକ ୬୯, ନୀତିଶ ରାଣା ୫୬ ଓ ଅଧିନାୟକ ଧ୍ରୁବ ସୋରେ ୫୧ ରନ୍ କରିଥିଲେ। ଓପନର ହିତେନ ଦଲାଲ ୪୫ ଓ ନଂ-୭ ବ୍ୟାଟ୍ସମ୍ୟାନ୍ ଲଲିତ ଯାଦବ ୨୭ ବଲରେ ଅପରାଜିତ ୪୬ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଓ ପପୁ ରୟ ୨ଟି ୱିକେଟ ପାଇଥିଲେ। ଜବାବରେ ଓଡ଼ିଶା ସମାନ ସଂଖ୍ୟକ ଓଭର ଖେଳି ୮ ୱିକେଟରେ ୨୩୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଓଡ଼ିଶା ପକ୍ଷରୁ କେବଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ୭୭ ରନର ବଡ ସ୍କୋର କରିଥିଲେ। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଓପନର ସନ୍ଦୀପ ପଟ୍ଟନାୟକ ୨୮, ଗୋବିନ୍ଦ ପୋଦ୍ଦାର ୨୩ ରନ୍ କରିଥିଲେ। ଗୋବିନ୍ଦଙ୍କ ୱିକେଟ ସହ ଓଡ଼ିଶା ୨୨ ରନରେ ୪ଟି ୱିକେଟ ହରାଇବା ଫଳରେ ବିଜୟ ଆଶା ମଉଳିଯାଇଥିଲା। ୩୯ତମ ଓଭରରେ ୧୭୨ ରନରେ ୮ଟି ୱିକେଟ ପଡ଼ିଯିବା ପରେ ଅଭିଷେକ ରାଉତ ଓ ରାଜେଶ ମହାନ୍ତି ଅବିଭକ୍ତ ୯ମ ୱିକେଟରେ ୬୪ ରନ୍ ଉଠାଇଥିଲେ ମଧ୍ୟ ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ। ରାଉତ ୫୧ ବଲରେ ୩୨ ଏବଂ ରାଜେଶ ୪୧ ବଲରେ ୩୯ ରନ୍ କରି ଶେଷଯାଏ ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ ୩ ସ୍ପିନର ୬ଟି ୱିକେଟ ନେଇ ଓଡ଼ିଶାକୁ ବ୍ୟାକଫୁଟକୁ ଠେଲିଦେଇଥିଲେ। ସେମାନଙ୍କ ମଧ୍ୟରୁ ମନନ ଶର୍ମା ସର୍ବାଧିକ ୩ଟି, ନୀତିଶ ରାଣା ୨ଟି ଓ ପୱନ ନେଗୀ ୨ଟି ୱିକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ୭ ତାରିଖରେ ଖେଳାଯାଇଥିବା ମ୍ୟାଚରେ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ୧୧୯ ରନ୍ ସହାୟତାରେ ଓଡ଼ିଶା ୩ ୱିକେଟରେ ଶକ୍ତିଶାଳୀ ମହାରାଷ୍ଟ୍ରକୁ ହରାଇଥିଲା। କେଦାର ଯାଦବଙ୍କ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୫୯ ରନ୍ କରିଥିଲା। ଜବାବରେ ଓଡ଼ିଶା ୪୯.୧ ଓଭରରେ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ôଚଥିଲା। ବୋଲିଂରେ ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।