ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଜିଆରଏସ (ଗ୍ରାମ ରୋଜଗାର ସେବକ) ଦିଲ୍ଲୀପ କୁମାର ସାହୁ ୨୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଦାରିଙ୍ଗବାଡ଼ି ଗ୍ରାମର ଦିଲ୍ଲୀପ କୁମାର ସାହୁ ସିମନବାଡ଼ି ପଞ୍ଚାୟତ କାର୍ୟ୍ୟାଳୟରେ ଜିଆରଏସ ଭାବେ କାର୍ୟ୍ୟରତ ଥିଲେ। ସିମନବାଡ଼ି ପଞ୍ଚାୟତ ଲାଦାମାଲା ଗ୍ରାମର ରଞ୍ଜନ ଦିଗାଲ ନାମକ ବ୍ୟକ୍ତିଙ୍କୁ ମନରେଗା ଯୋଜନାରେ ୧ଲକ୍ଷ ୬୦ହଜାର ଟଙ୍କା ବ୍ୟୟରେ ଏକ କୂଅ ନିର୍ମାଣ କରିବାକୁ ମଞ୍ଜୁରୀ ମିଳିଥିଲା। ପ୍ରଥମ କିସ୍ତିରେ ୭୨ହଜାର ଟଙ୍କା ବିଲ ମଞ୍ଜୁରୀ ହୋଇଥିବାବେଳେ ଆଉ ୮୮ହଜାର ଟଙ୍କା ବିଲ ହେବାକୁ ବାକି ଥିଲା। କିନ୍ତୁ ୮୮ହଜାର ଟଙ୍କାର ବିଲ ପାସ କରିଦେବା ପାଇଁ ଜିଆରଏସ ଦିଲ୍ଲୀପ ହିତାଧିକାରୀ ରଞ୍ଜନ ଦିଗାଲଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭିଜିଲାନ୍ସ ଏସପି ଜିଆରଏସଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଯୋଜନା ମୁତାବକ ରଞ୍ଜନଙ୍କଠାରୁ ଜିଆରଏସ ଦିଲ୍ଲୀପ ୨୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଫୁଲବାଣୀ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଦିଲ୍ଲୀପଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।