କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଗତ କିଛିଦିନ ତଳେ ଏକ ଓଡ଼ିଓ କ୍ଲିପ ଭାଇରାଲ ହୋଇଥିଲା । ଉକ୍ତ ଓଡ଼ିଓ ଟେପ ଭାଇରାଲ ହେବା ଦିନଠାରୁ କୋଟିପତି ବନବିଭାଗ ରେଞ୍ଜର କେଶବ ମାଝୀ ଭିଜିଲାନ୍ସ ନଜରରେ ଥିଲେ । ଶ୍ରୀ ମାଝୀଙ୍କ ଘରର ସାଜସଜ୍ଜା ଓ ଅଟ୍ଟାଳିକାକୁ ନେଇ ସବୁବେଳେ କେସିଙ୍ଗା ସହରରେ ଚର୍ଚ୍ଚା ଲାଗି ରହୁଥିଲା । ଏନେଇ ଆଜି ୱାର୍ଡ ନମ୍ବର ୭ସ୍ଥିତ ଓମନଗର ପଡ଼ାରେ ଥିବା ଶ୍ରୀ ମାଝୀଙ୍କ ନିବାସରେ ସକାଳ ୫ଟା ସମୟରୁ କଳାହାଣ୍ଡି ଭିଜିଲାନ୍ସର ଟିମ୍ ଚଢ଼ଉ କରିଥିଲା । ସ୍ଥାନୀୟ ପୁଲିସ ସହାୟତାରେ ଭିଜିଲାନ୍ସ ଟିମ୍ ଘର ଭିତରେ ପଶି ତନାଘନା ଆରମ୍ଭ କରିଥିଲା । ମିଳିଥିବା ରିପୋର୍ଟ ମୁତାବକ, ଶ୍ରୀ ମାଝୀଙ୍କ ନିଜ ଜନ୍ମ ଗ୍ରାମ ବ୍ରାହ୍ମଣୀ, କେସିଙ୍ଗା, କେଗାଁର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି । କେସିଙ୍ଗାର ମାଝୀ ନିବାସରେ ସକାଳ ୫ଟାରେ ପହଞ୍ଚିଥିବା ଏକ ୧୨ଜଣିଆ ଟିମ ନଗଦ ୬୬ହାଜର ଟଙ୍କା, ସୁନା, ଗାଡ଼ି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଏହି ଚଢ଼ଉରେ ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳ, ଭବାନୀପାଟଣା ଡିଏସପି ସଦାନନ୍ଦ ପାଢ଼ୀ, ନବରଙ୍ଗପୁର ଡିଏସପି କଳାବତୀ ବାଗ, ଇନ୍ସପେକ୍ଟର ପ୍ରମିଳା ସୁନା ଓ ଆଲୋକ ମହାପାତ୍ରଙ୍କ ସମେତ ୧୨ଜଣିଆ ଟିମ୍ ସାମିଲ ଥିଲେ ।