କୁଚିଣ୍ଡା,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବିଜ୍ଞପିତ ପରିଷଦରେ କାର୍ୟ୍ୟ କରୁଥିବା ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ସମ୍ବଲପୁରର ଭିଜିଲାନ୍ସ ଟିମ୍ କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଚଢ଼ଉ ଜାରି ରଖିଛନ୍ତି।
ଏଥିସହ ତାଙ୍କର କୁଚିଣ୍ଡାସ୍ଥିତ କାର୍ୟ୍ୟାଳୟରେ ବି ଚଢ଼ଉ ଚାଲିଛି। ଖାଲି ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ନିଜ ଘର ଓ କାର୍ୟ୍ୟାଳୟରେ ନୁହେଁ, ବରଂ ବରଗଡ଼ ଜିଲ୍ଲାର ଭୁକ୍ତାଠାରେ ଥିବା ତାଙ୍କର ଶଶୁର ଘରେ ବି ଏକା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୫୪ ବର୍ଷ ବୟସ୍କ ଉପେନ୍ଦ୍ର ନାୟକ ତାଙ୍କର ଚାକିରି ଜୀବନ କୁଚିଣ୍ଡା ବିଜ୍ଞପିତ ପରିଷଦରେ ହିଁ ଆରମ୍ଭ କରିଥିଲେ। ସେ କେବେ ବି ଅନ୍ୟତ୍ର ବଦଳି ହୋଇ ଯାଇ ନାହାନ୍ତି। କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର କେତେ ଟଙ୍କାର ସଂପତ୍ତି ରହିଛି, ତାହା ଆଜି ଜଣାପଡ଼ିବ ବୋଲି କୁହାଯାଉଛି।