ଏଲଇଡି ଦୁର୍ନୀତି ମାମଲାରେ ତତକାଳୀନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଜେରା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ପୌରପରିଷଦର ଏଲଇଡି ଦୁର୍ନୀତି ମାମଲାରେ ତତକାଳୀନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କୁ ଭିଜିଲାନ୍ସ ବିଭାଗ ୩ଘଣ୍ଟା ଜେରା କରିଛି। ଶ୍ରୀ ଶତପଥୀ ବାରିପଦାରେ ନିର୍ବାହୀ ଅଧିକାରୀ ଭାବରେ ରାୟଗଡ଼ାରୁ ବଦଳି ହୋଇଛନ୍ତି। କିନ୍ତୁ ଏଯାଏ ସେ ବାରିପଦାରେ ଯୋଗ ଦେଇନଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଏଲଇଡ଼ି ମାମଲାରେ ଛନ୍ଦି ହୋଇଥିବା ଆଉ ଜଣେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଭିଜିଲାନ୍ସ ପଠାଇଥିବା ସମନର କୌଣସି ଉତ୍ତର ରଖିନାହାନ୍ତି। ଶ୍ରୀ ଜେନା କିଛିଦିନ ପୂର୍ବରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପରିଷଦରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ହେଲେ ସେଠାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ତାପସ ଜେନା ଭିଜିଲାନ୍ସର ସମନ ଗ୍ରହଣ ନ କରିବାରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିବା ଝାରସୁଗୁଡ଼ା ଜିଲ୍ଲା ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଦୀପ ଆଇଣ୍ଡ କହିଛନ୍ତି। ଯଦି ତାପସ ଜେନା ନଆସନ୍ତି ତେବେ ତାଙ୍କ ଉପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଆଇଣ୍ଡ କହିଛନ୍ତି।

ପ୍ରକାଶଯୋଗ୍ୟ, ଏହି ଏଲଇଡି ଲାଇଟ ଦୁର୍ନୀତି ମାମଲାରେ ଗତ ୩୦ ତାରିଖରେ ୨ଜଣ ପୂର୍ବତନ ନଗରପାଳ ରଶ୍ମିରେଖା ମିଶ୍ର ଓ ପର୍ଶୁରାମ ସାହୁଙ୍କୁ ଭିଜିଲାନ୍ସ ଜେରା କରିସାରିଛି। ସେହିପରି ମାର୍ଚ୍ଚ ୨୭ ତାରିଖରେ ଏହି ଏଲଇଡି ଲାଇଟ ଯୋଗାଣାକାରୀ ସଂସ୍ଥା ଭୁବନେଶ୍ୱରର ଟେକମେକର ମାଲିକ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ମଧ୍ୟ ଝାରସୁଗୁଡ଼ା ଭିଜିଲାନ୍ସ ଜେରା କରିଥିଲା। ଏହାପୂର୍ବରୁ ଗତ ମାର୍ଚ୍ଚ ୨୪ରେ ତତକାଳୀନ ଷ୍ଟୋର କିପର ଅଶୋକ ସାହୁ, ଲାଇନ ମ୍ୟାନ ଅଶୋକ ଭଏଁସାଲ, ଦେବାନନ୍ଦ ପ୍ରଧାନ ଓ ପ୍ରମୋଦ ରଥକୁ ଝାରସୁଗୁଡ଼ା ଭିଜିଲାନ୍ସ ଜେରା କରିସାରିଛି। ଗତ ୨୦୧୫ ମସିହାରେ ବେଲପାହାଡ଼ ପୌରପରିଷଦରେ ଏଲଇଡି କିଣା ଦୁର୍ନୀତି ପଦାକୁ ଆସିଥିଲା। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଏହି ଏଲଇଡି ଲାଇଟ ନର୍ଦ୍ଧାରିତ ଦରଠାରୁ ୪ ଗୁଣା ଅଧିକ ଦରରେ କିଣିଥିବା ଭିଜିଲାନ୍ସ ବିଭାଗ ଜାଣିପାରିଥିଲା। ବିନା ଟେଣ୍ଡରରେ ଭୁବନେଶ୍ୱରର ୨ଟି ସଂସ୍ଥାଠାରୁ ଲାଇଟ ପ୍ରତି ୧୦ ହଜାର ୪୦୪ ଟଙ୍କାର ଏଲଇଡି ଲାଇଟକୁ ୪୪ ହଜାର ୧୫୧ ଟଙ୍କା ୫୦ ପଇସା ଦେଇ ୪୩୨ଟି ଲାଇଟ କିଣାଯାଇଥିଲା। ଏହାକୁ ନେଇ ସେସମୟରେ ଭିଜିଲାନ୍ସ ବେଲପାହାଡ଼ ପୌର ପରିଷଦରେ ଚଢ଼ଉ କରି ଯାଞ୍ଚ କରିବା ସହିତ ତତକାଳୀନ ନଗରପାଳ, ନିର୍ବାହୀ ଅଧିକାରୀ ଓ କିରାଣୀଙ୍କୁ ଜେରା କରିଥିଲା। ହେଲେ ୩୭ଟି ଏଲଇଡି ଲାଇଟର ହିସାବ ଭିଜିଲାନ୍ସ ପାଇନଥିଲା। ଏହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୩୩ ହଜାର ୬୦୫ ଟଙ୍କା ୫୦ ପଇସା ହେବ।