ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ

ଖୋର୍ଦ୍ଧା,ଏନଏନଏସ: ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଜଣେ ଡିଲରଙ୍କ ଠାରୁ କିରୋସିନି ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ ଦାସ ପ୍ରାୟ ୧୬ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ ୨୦ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖୋର୍ଦ୍ଧା, ନୟାଗଡ, ଭୁବନେଶ୍ୱର ଭିଜିଲାନ୍ସ ଟିମର ମିଳିତ ଭାବେ ଚଢ଼ଉ କରି ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଜବତ କରିଛନ୍ତି ।

ଏହିପରି ପ୍ରତି ମାସରେ କିରୋସିନି ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନ ରେଡ଼ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।