ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡ଼ିଲେ ବିଂଝାରପୁର ଏଏସଆଇ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ବିଂଝାରପୁର ଥାନାର ଏଏସଆଇ ଯୁଧିଷ୍ଠିର ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ବିଂଝାରପୁର କଣ୍ଟିପୁରର ଅଞ୍ଚଳର ପ୍ରଫୁଲ ମଲ୍ଲିକ କୌଣସି ଜମିଜମା ଗଣ୍ଡଗୋଳକୁ ନେଇ କଣ୍ଟିପୁର ଗ୍ରାମର କରୁଣାକର ମଲ୍ଲିକ ଓ ତାଙ୍କ ପରିବାର ବିରୋଧରେ ଗତ ୧୮ ତାରିଖରେ ବିଂଝାରପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ବିଂଝାରପୁର ପୁଲିସ କେସ ନଂ-୨୯୨/୨୦୧୯ରେ ମାମଲା ରୁଜୁ କରି ଥିଲା। ପରେ କରୁଣାକର ମଲ୍ଲିକଙ୍କର ପତ୍ନୀ କାମିନୀ ମଲ୍ଲିକ ପ୍ରଫୁଲ ମଲ୍ଲିକ ଓ ତାଙ୍କ ପରିବାର ବିରୋଧରେ କେସ୍ ନଂ-୨୯୩/୨୦୧୯ରେ ମାମଲା ଦାଖଲ କରିଥିଲେ। ଏହି ମାମଲାରେ ଏଏସଆଇ ଯୁଧିଷ୍ଠିର ମଲ୍ଲିକ କରୁଣାକର ମଲ୍ଲିକଙ୍କ ୧୫ହଜାର ଟଙ୍କା ମାଗିଥିଲେ। ଯଦି ସେ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଆଗକୁ ବହୁ ହଇରାଣ ହେବାକୁ ପଡ଼ିବ ବୋଲି ସେ କହିଥିଲେ।

କରୁଣାକର ମଲ୍ଲିକଙ୍କ ଭାଇ ବାଇଧର ମଲ୍ଲିକ ଯାଜପୁର ଭିଜିଲାନ୍ସର ସହାୟତା ନେଇ ବିଂଝାରପୁର ପେଟ୍ରୋଲ ପମ୍ପ ନିକଟରେ ରହିଥିବା ତାଙ୍କ ବାସଭବନରେ ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ଯାଜପୁର ଭିଜିଲାନ୍ସ ଡିଏସପି ବନମାଳୀ ଧଳ ଓ ଇନ୍ସପେକ୍ଟର ଅନୁସୂୟା ସେନାପତିଙ୍କ ନେତୃତ୍ୱରେ ଘଟଣାସ୍ଥଳରୁ ପୁଲିସ ଏଏସଆଇ ଯୁଧିଷ୍ଠିର ମଲ୍ଲିକଙ୍କୁ ଲାଞ୍ଚ ୧୦ହଜାର ଟଙ୍କା ସହ ଗିରଫ କରିଥିଲେ।