କନ୍ଧମାଳ,ଫୁଲବାଣୀ, ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲାର ପ୍ରାକ୍ତନ ମାର୍କଫେଡ ଏରିଆ ମ୍ୟାନେଜର ଭୂବନ ମୋହନ ଦାଶଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଭୂବନଙ୍କୁ ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଶ୍ରୀ ଦାଶ ୨୦୦୭ ମସିହାରେ ବୌଦ୍ଧଠାରେ ମାର୍କଫେଡର ଆଞ୍ଚଳିକ ମ୍ୟାନେଜର ଦାୟିତ୍ୱରେ ଥିବାବେଳେ ତାଙ୍କ ବିରୋଧରେ ତିଳା ଓ ହଳଦୀ ବିହନ କିଣାରେ ୯ ଲକ୍ଷ ୬୬ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଏହାପୂର୍ବରୁ ୨୦୦୬ ମସିହାରେ ସେ କାର୍ଯ୍ୟରୁ ବହିଷ୍କୃତ ହୋଇଥିଲେ । ତେବେ ଅଭିଯୁକ୍ତ ଦାଶଙ୍କୁ ଧରିବାରେ ଭିଜିଲାନ୍ସ ବିଭାଗ ସଫଳ ହୋଇନଥିଲେ । ପରେ ତାଙ୍କ ନାଁରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ଜାମିନ ବିହୀନ ୱାରେଣ୍ଟ ଜାରୀ କରିବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ତେବେ ଅଭିଯୁକ୍ତ ବାରମ୍ବାର ନିଜର ସ୍ଥାନ ସହ ମୋବାଇଲ ନମ୍ବର ପରିବର୍ତ୍ତନ କରି ଚାଲିଥିଲେ । ଭିଜିଲାନ୍ସ ପକ୍ଷରୁ ନଜର ରଖାଯିବା ସହ ମୋବାଇଲ ନମ୍ବର ଟ୍ରାକିଙ୍ଗ କରାଯାଇ ସେ ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଥିବା ଜଣାପଡ଼ିବା ପରେ ଚଢ଼ଉ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି ।