ରେଖାଙ୍କ ଅଶୀ ଦଶକର ଭିଡିଓ ଭାଇରାଲ୍

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବଲିଉଡର ନାମୀଦାମୀ ନାୟିକା ରେଖା ନିଜର ଅଭିନୟ ଓ ସୌନ୍ଦର୍ଯ୍ୟକୁ ନେଇ ଢେର୍ ଚର୍ଚ୍ଚା ଲାଭ କରିଛନ୍ତି। ଏବେ ବି ତାଙ୍କ ରୂପର ପ୍ରଶଂସକ ଅନେକ। ୬୫ ବର୍ଷୀୟା ରେଖା ବେଶ୍ ବଢ଼ିଆ ଅଭିନୟ ତ କରନ୍ତି, ମାତ୍ର ଆପଣ ଜାଣନ୍ତି କି ସେ ଗୀତ ବି ଗାଆନ୍ତି? ନିକଟରେ ରେଖାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏ ଭିଡିଓ ଏମିତିରେ ତ ଖୁବ୍ ପୁରୁଣା, ମାତ୍ର ଏହି ଭିଡିଓରେ ରେଖା ନିଜର ସିଙ୍ଗିଙ୍ଗ୍ ଟ୍ୟାଲେଣ୍ଟ ଅର୍ଥାତ୍ ଗାୟନ କଳା ପ୍ରତିଭା ପ୍ରମାଣିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଖୁବ୍ ଜୋର୍ସୋର୍ ଭାଇରାଲ୍ ହେଉଥିବା ଏହି ଭିଡିଓଟି ୧୯୮୬ ମସିହାର। ଏହି ଭିଡିଓରେ ରେଖା ବିବିସିକୁ ସାକ୍ଷାତକାର ଦେଉଥିବା ଦେଖିବାକୁ ମିଳୁଛି। ଏଥିରେ ତାଙ୍କୁ ଯେତେବେଳେ ଗାୟକୀକୁ ନେଇ ପ୍ରଶ୍ନ କରାଯାଉଛି, ରେଖା ନିଜର ଶ୍ରୁତିମଧୁର କଣ୍ଠସ୍ୱରରେ ଗୋଟିଏ ସୁନ୍ଦର ଗୀତ ଗାଇ ଶୁଣାଉଛନ୍ତି। ଏଥିରେ ସେ କହୁଛନ୍ତି, ‘ଜାଣିନି ମୁଁ ସୁର ଲୟ ଅନୁସାରେ ଗାଇପାରୁଛି କି ନାହିଁ।’ ମାତ୍ର ରେଖାଙ୍କ କଣ୍ଠସ୍ୱର ଶୁଣି ସାମ୍ବାଦିକ ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ୁଛନ୍ତି। ଏହି ଭିଡିଓରେ ରେଖା ‘ମୁଝେ ତୁମ୍ ନଜର୍ ସେ….’ ଗୀତଟି ଗାଉଥିବା ଦେଖିବାକୁ ମିଳୁଛି। ଭାଇରାଲ୍ ହେଉଥିବା ଏହି ଭିଡିଓଟିକୁ କୋରିଓଗ୍ରାଫର ମେଲ୍ଭିନ ଲୁଇସ୍ ନିଜ ଇନ୍ଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି।