ତିନି ମାସରେ ତେର କିଲୋ ଓଜନ କମେଇଲେ ଭିକି

ଗତ କିଛି ଦିନ ହେଲା ବିଭିନ୍ନ କାର୍ଯ୍ୟକ୍ରମରେ ଏକ ନୂଆ ଅବତାରରେ ନଜର ଆସୁଛନ୍ତି ଆକ୍ଟର୍ ଭିକି କୌଶଲ। ଭିକିଙ୍କ ଏଭଳି ନୂଆ ଲୁକ୍ ବାବଦରେ କେହି କେହି ଜାଣିବାକୁ ଆଗ୍ରହ କରି ତାଙ୍କୁ ପଚାରିଥିଲେ। ଭିକିଙ୍କ ଉତ୍ତରରୁ ଜଣାପଡ଼ିଲା, ସେ ମାତ୍ର ତିନି ମାସ ଭିତରେ ତେର କିଲୋ ଓଜନ କମ୍ କରିଛନ୍ତି। ଶହୀଦ ଉଦ୍ଧମ ସିଂହ ବାୟୋପିକ୍ ଫିଲ୍ମ ପାଇଁ ବିକି ଏଭଳି କରିଛନ୍ତି। ଏ ଫିଲ୍ମରେ ବିକି ଜଣେ ୨୦ ବର୍ଷୀୟ ଯୁବକ ଚରିତ୍ରରେ ଦେଖିବାକୁ ମିଳିବେ।

ନିଜକୁ ୨୦ ବର୍ଷ ବୟସ ଯୁବକ ଭଳି ଦେଖାଇବା ଲାଗି ବିକି ଝାଳବୁହା ପରିଶ୍ରମ କରିଛନ୍ତି ଓ ତା’ର ଫଳ ଦେଖିବାକୁ ମିଳିଛି ତାଙ୍କ ଚେହେରାରେ। ଭିକି ଖାଦ୍ୟପ୍ରିୟ ଭାବେ ଜଣାଶୁଣା। ତେବେ ଚରିତ୍ର ଅନୁରୂପ ଚେହେରା ପାଇଁ ସେ ଡାଏଟ୍ କଣ୍ଟ୍ରୋଲ କରିଛନ୍ତି। ଏଥିରେ ସେ କୌଣସି ପ୍ରକାର କମ୍ପ୍ରମାଇଜ୍ କରିବାକୁ ଚାହୁଁନାହାନ୍ତି। ଏଥିପାଇଁ ବିକି ଜଣେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କଠାରୁ ତାଲିମ ନେଉଛନ୍ତି। ସୁଜିତ ସରକାରଙ୍କ ଏ ଫିଲ୍ମରେ ବିକି ଶହୀଦ ଉଦ୍ଧମ ସିଂହଙ୍କ ଯୁବକ ବେଳର ଚରିତ୍ର ନିର୍ବାହ କରିବେ।

ବିକିଙ୍କ ଏ ନୂଆ ଚେହେରା ଦେଖି ସୁଜିତ ବି ଖୁବ୍ ଖୁସି ଅଛନ୍ତି। ସେ ଯେଉଁଭଳି ଚାହୁଁଥିଲେ ଭିକି ନିଜକୁ ସେଭଳି କରିପାରିଛନ୍ତି ବୋଲି କହିଛନ୍ତି ସୁଜିତ। ଚଳିତ ମାସ ପ୍ରଥମ ସପ୍ତାହରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେଉଛି ଏବଂ ୨୫ ଦିନ ଭିତରେ ଶେଷ ହେବ। ଏହି ବାୟୋପିକର ସୁଟିଂ ସରୁସରୁ ବିକି କରନ୍ ଜୋହରଙ୍କ ‘ତଖତ’ ଫିଲ୍ମର କାମ ଆରମ୍ଭ କରିବେ।

ଏଥିପାଇଁ ତାଙ୍କୁ ପୁଣି ନିଜ ଶରୀରର ଓଜନ ବଢ଼ାଇବାକୁ ପଡ଼ିବ। ଏହା ଭିକିଙ୍କ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ। ‘ତଖତ’ରେ ବିକି ମୋଗଲ ଶାସକ ଔରଙ୍ଗଜେବ ଚରିତ୍ରରେ ଦେଖିବେ ଦର୍ଶକ। ଫେବ୍ରୁଆରୀ ୨୦୨୦ରୁ ଆରମ୍ଭ ହେବ ଏହି ଫିଲ୍ମର ସୁଟିଂ।