‘ଭିଆଇ’ ବ୍ରାଣ୍ଡ ନାମରେ ପରିଚିତ ହେବେ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,ଏଜେନ୍ସି: ଭୋଡାଫୋନ୍-ଆଇଡିଆ ବର୍ତ୍ତମାନ ଏକ ନୂଆ ବ୍ରାଣ୍ଡ ନାମ ସହିତ ଉପଲବ୍ଧ ହେବ। ଏବେ ଏହାକୁ ‘ଭିଆଇ’ ବୋଲି କୁହାଯିବ। ଏକ ଇଭେଣ୍ଟ ସମୟରେ କମ୍ପାନୀ ଏହି ନୂତନ ବ୍ରାଣ୍ଡ ନାମ ଏବଂ ଲୋଗୋ ଘୋଷଣା କରିଛି। ଭୋଡାଫୋନ୍ ପାଇଁ ‘ଭି’ ଏବଂ ଆଇଡିଆ ପାଇଁ ‘ଆଇ’ ରଖାଯାଇ ନୂଆ ବ୍ରାଣ୍ଡର ନାଁ ରଖାଯାଇଛି। ଭାରତରେ ଦୁଇ କମ୍ପାନୀର ମିଶ୍ରଣ ହେବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ କମ୍ପାନୀ ନିଜ ନାମରେ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଅଣାଯାଇଛି।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଭବିଷ୍ୟତକୁ ଆଖି ଆଗରେ ରଖି ‘ଭିଆଇ’କୁ ଆମେ ଆଣିଛୁ ଏବଂ ବର୍ତ୍ତମାନ ଉଭୟ କମ୍ପାନୀ ସମାନ ବ୍ରାଣ୍ଡ ନାମରେ ବ୍ୟବସାୟ କରିବେ। କମ୍ପାନୀ କହିଛି ଯେ, ୪ଜି ସହିତ କମ୍ପାନୀ ପାଖରେ ୫ଜି ଟେକ୍ନୋଲୋଜି ମଧ୍ୟ ଅଛି। କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ, ମିଶ୍ରଣ ପରଠାରୁ ସାରା ଦେଶରେ ୪ଜି କଭରେଜ୍ ଦ୍ୱିଗୁଣିତ ହୋଇଛି। ଯଦିଓ କମ୍ପାନୀ ଏହି ସମୟ ମଧ୍ୟରେ ନୂତନ ଯୋଜନା ଘୋଷଣା କରିନାହିଁ, କିନ୍ତୁ ଶୁଳ୍କ ମୂଲ୍ୟ ବୃଦ୍ଧି ହେବ ବୋଲି ସୂଚିତ କରାଯାଇଛି। ସେହିପରି ଭୋଡାଫୋନ ଓ ଆଇଡିଆର ଗ୍ରାହକମାନେ କମ୍ପାନୀର ନୂତନ ରିଙ୍ଗଟୋନ ଭିଆଇ ଆପ ଓ ୱେବସାଇଟରେ ପାଇପାରିବେ।