ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ପ୍ରାଣୀ ଚିକିତ୍ସକ ଓ ପଶୁ ପାଳକ ସମ୍ବର୍ଦ୍ଧିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡା. ସୁଜିତ କୁମାର ନାଥ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମକୃଷ୍ଣ ରାଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟ ରଞ୍ଜନ ରାଉତ ମଞ୍ଚାସିନ ରହି ଉପସ୍ଥିତ ଚାଷୀଙ୍କୁ କୃଷିପ୍ରଧାନ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ପଶୁ ପାଳନକୁ ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । ସେହିପରି ବୈଜ୍ଞାନିକ ପଦ୍ଧତିରେ ଉଦ୍ୟାନ କୃଷି ସହ ପଶୁପାଳନ ଚାଷୀର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ରାଜ୍ୟ ତଥା ଦେଶର ଅର୍ଥନୀତିର ବିକାଶରେ ସହାୟକ ହେବ ବୋଲି ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ। ଏଥିରେ ପଶୁ ପାଳନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗ କରିଥିବା କୁକୁଡ଼ା ଚାଷୀ ଗୀତାଞ୍ଜଳି ନନ୍ଦ, ଆରତୀ ପଟେଲ, ଜିତେନ୍ଦ୍ର ବିଶ୍ୱାଳ, ଗୋପାଳକ ସୁଦାମ ସାହୁ, ଘୁଷୁରୀ ଚାଷୀ ମୁନିକା ଟପ୍ପୋ, ଛେଳି ଚାଷୀ କ୍ଷିତୀନ୍ଦ୍ର ଗଡ଼ନାୟକ, ଜୀବନ ଜ୍ୟୋତି ଓ ଯାଜ୍ଞସେନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ପ୍ରାଣୀ ଚିକିତ୍ସିକ ସୁମନ୍ତ ବେହେରା, କ୍ଷୀରସିନ୍ଧୁ ପ୍ରଧାନ, ଡା. ଶରତ କୁମାର ବେହେରା, ଡା. ସତ୍ୟବ୍ରତ ସେଠୀ, କ୍ଷୀରୋଦ ଚନ୍ଦ୍ର ପଟେଲ, ଡା. ରଶ୍ମି ରଞ୍ଜନ ମହାପାତ୍ର, ଡା. ପ୍ରଣତି ବେହେରା, ଡା. ଦୀପକ ଷଡ଼ଙ୍ଗୀ, ଡା. ଶୁଭଶ୍ରୀ ଷଡ଼ଙ୍ଗୀ, ଡା. ରାମରଞ୍ଜନ ପତି ଓ ଡା. ସତ୍ୟ ନାରାୟଣ ମହାପାତ୍ରଙ୍କୁ ବିଭାଗ ପକ୍ଷରୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା ।