ପୁଇଁନ୍ତଲା ଭିଏଡବ୍ଲୁ ନିଲମ୍ବିତ

ବଲାଙ୍ଗୀର,ଏନଏନଏସ : ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଜିଲ୍ଲାରେ ବନ୍ୟା ହୋଇ ପ୍ରଭୁତ କ୍ଷୟକ୍ଷତି ହୋଇଛି । ଆଜି ମଧ୍ୟ ଲୋକେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ମୂକୁଳି ପାରିନାହାନ୍ତି । ଏଭଳି ସ୍ଥିତିରେ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ବଦଳରେ ଅଧିକାରୀମାନେ ପିଡିତମାନଙ୍କୁ ଲାଞ୍ଚ ମାଗୁଛନ୍ତି । ତେବେ ଗୁରୁବାର ପୁଇଁନ୍ତଲା ଭିଏଡବ୍ଲୁ ଜଣେ ବନ୍ୟା ପ୍ରପିଡିତଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ପୁଇଁନ୍ତଲାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ କରିବା ପାଇଁ ଭିଏଡବ୍ଲୁ ଶୁଭେନ୍ଦୁ ବେହେରା ଘରକୁ ଘର ବୁଲି ତଥ୍ର ସଂଗ୍ରହ କରିଥିଲେ । ତେବେ ସେହି ଅନୁଯାୟୀ ରିପୋର୍ଟ ପଠାଇବା ବଦଳରେ ବନ୍ୟା ପ୍ରଭାବିତଙ୍କୁ କାର୍ଯ୍ୟାଳୟକୁ ଆସି ଦେଖା କରିବାକୁ କହୁଥିଲେ । କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ସହାୟତା ପାଇବା ପାଇଁ ଲାଞ୍ଚ ଦେବାକୁ ପଡିବ ବୋଲି କହୁଥିଲେ । ୨୦୦ ଟଙ୍କା ଦେଲେ ୨ ହଜାର , ୫୦୦ ଟଙ୍କା ଦେଲେ ୫ ହଜାର ଓ ୧୦୦୦ ଦେଲେ ୧୦ ହଜାର ସହାୟତା ମିଳିବ ବୋଲି କହୁଥିଲେ । ନଚେତ ସହାୟତା ମିଳିବ ନାହିଁ ବୋଲି ସେ ଲୋକଙ୍କୁ କହୁଥିଲେ । ତେବେ ସହାୟତା ପାଇବା ଆଶାରେ ଅନେକ ଲୋକ ଲାଞ୍ଚ ଦେଉଥିଲେ ।

ଗୁରୁବାର ଜଣେ ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଶ୍ରୀ ବେହେରା ଲାଞ୍ଚ ମାଗିଥିଲେ । ହେଲେ ବ୍ୟକ୍ତି ଜଣଙ୍କ ଏହି ସବୁ ଚତୁରତା ସହିତ ତାଙ୍କ ମୋବାଇଲରେ ରେକର୍ଡ କରି ନେଇଥିଲେ । ବ୍ୟକ୍ତି ଜଣଙ୍କ ରେକର୍ଡ କରିଥିବା ଭିଡିଓ ଭାଇରାଲ ହୋଇ ଯାଇଥିଲା । କଥା ଯାଇଁ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ନିକଟରେ ପହଞ୍ôଚଥିଲା ଓ ଜିଲ୍ଲାପାଳ ଭିଏଡବ୍ଲୁ ବେହେରାଙ୍କୁ ନିଲମ୍ବନ କରିଥିଲେ । ଏହା ସହିତ ଘଟଣାର ତଦନ୍ତ କରାଯିବ ଓ ପ୍ରମାଣ ମିଳିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।