କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡିର ନୂଆ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ତାଙ୍କର ପ୍ରଥମ ଗସ୍ତରେ ଆଜି କେସିଙ୍ଗା ବ୍ଲକ ଓ ଏନଏସିର ବିଭିନ୍ନ ପ୍ରକଳ୍ପ ଓ ଉଦ୍ୟୋଗ ସଂସ୍ଥା ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ପ୍ରଥମେକେସିଙ୍ଗା ବ୍ଲକର ଉତ୍କଳ ଉଡ଼ାଜାହାଜ ପଡ଼ିଆକୁ ପରିଦର୍ଶନରେ ଯାଇଥିଲେ । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଉଡ଼ାଣ ଭରିବାକୁ ଥିବା ଉତ୍କଳ ଏୟାର ଷ୍ଟ୍ରୀପକୁ ଯାଇ ପିଡବ୍ଲ୍ୟୁଡି ଏକଜ୍ୟୁକେଟିଭ ଇଞ୍ଜିନିୟର ଅଜିତ ବାବୁ ଓ ଏସଡିଓ ଭଗବାନ ସାହୁଙ୍କ ସହିତ ବିଷଦ ଭାବେ ଆଲୋଚନା କରିଥିଲେ । ସେଠାରୁ ସିଧାସଳଖ କେସିଙ୍ଗା ବ୍ଲକ କାର୍ଯ୍ୟାଳୟକୁ ପରିଦର୍ଶନ ପାଇଁ ଯାଇଥିଲେ । ସେଠାରେ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ସରପଞ୍ଚ ସଂଘର ସଭାପତି ସୁବୋଧ ରଣା, ସିଡିପିଓ ମୁଜୀବୀନ ନିସା ଓ ବିଭିନ୍ନ ମହିଳା ଗ୍ରୁପ ପକ୍ଷରୁ ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେସିଙ୍ଗା ବ୍ଲକ କାର୍ଯ୍ୟାଳୟରେ ମିଶନ ଶକ୍ତି, ମନେରେଗା ଯୋଜନା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ବିଡିଓ, ବ୍ଲକ ଅଧ୍ୟକ୍ଷ ଓ ଅତିରିକ୍ତ ଇଞ୍ଜିନିୟରଙ୍କ ସହିତ ଆଲୋଚନା କରିଥିଲେ । ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରାଙ୍କ ସହିତ କେସିଙ୍ଗା ଏନଏସି ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ସେଠାରୁ ସେ ଇଡକୋ ଶିଳ୍ପାଞ୍ଚଳକୁ ଯାଇ କୃଷି ଉଦ୍ୟୋଗ ସୁଭାଷ କୃଷି କାରଖାନା ଓ ଟାୟାର କାରଖାନାକୁ ପରିଦର୍ଶନ କରିଥିଲେ । ଶେଷରେ ସେ ଭବାନୀପାଟଣା ଅଭିମୁଖେ ଯାତ୍ରା କରିଥିଲେ ।