ଭାରତରୁ ରପ୍ତାନି ବନ୍ଦ ପରେ ସ୍ଥିତି ଉତ୍କଟ, ଏସୀୟ ବଜାରକୁ କନ୍ଦାଉଛି ପିଆଜ

ନୂଆଦିଲ୍ଲୀ: ବିଭିନ୍ନ କାରଣକୁ ନେଇ ଭାରତରେ ପିଆଜ ଦର ଆକାଶ ଛୁଆଁ ହେବା ପରେ ଦର ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଭାରତ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷକରି ଭାରତରୁ ଅନ୍ୟାନ୍ୟ ରାଷ୍ଟ୍ରକୁ ପିଆଜ ରପ୍ତାନି ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ସହ ରିଟେଲ ଏବଂ ହୋଲସେଲରଙ୍କ ପାଇଁ ସର୍ବାଧିକ ପିଆଜ ମହଜୁଦ ରଖିବା ପରିମାଣ ମଧ୍ୟ ସ୍ଥିର କରିଛନ୍ତି। କିନ୍ତୁ ଭାରତରୁ ବିଦେଶୀ ରାଷ୍ଟ୍ରମାନଙ୍କୁ ପିଆଜ ରପ୍ତାନି ବନ୍ଦ ହୋଇଯିବା ପରେ ଏବେ କେତେକ ରାଷ୍ଟ୍ରରେ ଭାରତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବିଶେଷକରି ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ, ଶ୍ରୀଲଙ୍କା , ନେପାଳ, ପାକିସ୍ତାନ ଏବଂ ଅନ୍ୟାନ୍ୟ କେତେକ ଏସୀୟ ରାଷ୍ଟ୍ରମାନଙ୍କରେ ପିଆଜ ଦର ଏବେ ଦୁଇରୁ ତିନି ଗୁଣା ହୋଇଛି। ରୋଷେଇ ଗୃହର ଅତ୍ୟନ୍ତ ଜରୁରୀ ଦ୍ରବ୍ୟ ଭାବେ ପିଆଜର ଚାହିଦା ପାକିସ୍ତାନର ଚିକେନ୍ କରି ଠାରୁ ଆରମ୍ଭ କରି ବାଂଲାଦେଶର ବିରିୟାନି ଏବଂ ଭାରତର ସମ୍ବର ଓ ତରକାରୀ ପର୍ଯ୍ୟନ୍ତ ସବୁଥିରେ ରହିଛି। ସାଧାରଣ ପରିବାର ଠାରୁ ଆରମ୍ଭ କରି ବିତ୍ତଶାଳୀ ପରିବାର ପର୍ଯ୍ୟନ୍ତ ପିଆଜର ଚାହିଦା ସବୁଠି ସମାନ। ହେଲେ ଭାରତ ଭଳି ଏକ ସର୍ବାଧିକ ପିଆଜ ଉତ୍ପାଦନକାରୀ ରାଷ୍ଟ୍ରରେ ପିଆଜ ଯୋଗାଣର ସ୍ଥିତିକୁ ନେଇ ଏବେ ଯେମିତି ସବୁଆଡ଼େ ଭିନ୍ନ ସ୍ଥିତି ଉପୁଜିଛି।

ପ୍ରତ୍ୟେକ ବର୍ଷ ଭାରତରୁ ବିଭିନ୍ନ ଏସୀୟ ରାଷ୍ଟ୍ରମାନଙ୍କୁ ନିୟୁତ ନିୟୁତ ଟନ୍ ପିଆଜ ରପ୍ତାନି କରାଯାଇଥାଏ। ଭାରତୀୟ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ଉନ୍ନୟନ ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରୁ ୨.୨ ନିୟୁତ ଟନ୍ ପିଆଜ ରପ୍ତାନି କରାଯାଇଥିଲା। ଯାହାର ପ୍ରାୟ ୫୦ ଭାଗ କେବଳ ଏସୀୟ ରାଷ୍ଟ୍ରମାନଙ୍କୁ ରପ୍ତାନି ହୋଇଥିଲା। ହେଲେ ଚଳିତବର୍ଷ ଗ୍ରୀଷ୍ମକାଳୀନ ପିଆଜ ଉତ୍ପାଦନ ବିଳମ୍ବରେ ବଜାରକୁ ଆସିବା ଏବଂ ଦେଶର ବିଭିନ୍ନ ଭାଗରେ ଅନିୟମିତ ବର୍ଷା ହେବା ଯୋଗୁଁ ପିଆଜ ଚାହିଦା ପୂରଣ ଦିଗରେ ସମସ୍ୟା ଦେଖାଯାଇଥିଲା।

ଫଳରେ ଭାରତୀୟ ବଜାରରେ ପିଆଜ ଦର ଆକାଶଛୁଆଁ ହେବା ସହ କିଲୋ ପ୍ରତି ମୂଲ୍ୟ ୭୦ ଟଙ୍କାରେ ପହଞ୍ଚିଥିଲା। ଯେଉଁଥିପାଇଁ ଭାରତରୁ ପିଆଜ ରପ୍ତାନି ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ। ହେଲେ ରପ୍ତାନି ବନ୍ଦ ଯୋଗୁଁ ଏସୀୟ ବଜାରକୁ ଏବେ ପିଆଜ କନ୍ଦାଉଛି।

ମିଳିଥିବା ଏକ ବିଶେଷ ରିପୋର୍ଟ ଅନୁଯାୟୀ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଏବଂ ଅନ୍ୟ ବହୁ ଏସୀୟ ରାଷ୍ଟ୍ରରେ ପିଆଜକୁ ନେଇ ଏବେ ଉତ୍କଟ ପରିସ୍ଥିତିି ଦେଖାଯାଇଛି। ପଡ଼ୋଶୀ ବାଂଲାଦେଶରେ ପିଆଜ କିଲୋ ୧୨୦ ଟାକା ଛୁଇଁଛି। ସେହପରି ନେପାଳରେ ମଧ୍ୟ ପିଆଜ ମୂଲ୍ୟ ଦ୍ୱିଗୁଣିତ ହୋଇଛି। ଏହାକୁ ନେଇ ସଂପୃକ୍ତ ରାଷ୍ଟ୍ରମାନଙ୍କ ପକ୍ଷରୁ ମିଆଁମାର୍, ଇଜିପ୍ଟ, ତୁର୍କୀ ଏବଂ ଚୀନରୁ ପିଆଜ ଆମଦାନୀ ପାଇଁ ଉଦ୍ୟମ କରାଯାଉଥିବା କୁହାଯାଇଛି।