ଦେଶରେ ଟିକା ଅଭାବ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଟିକା ଅଭାବ ଅଭିଯୋଗକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଗୁରୁବାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ-୧୯ ଟିକା ଯୋଗାଣ ଉପରେ ନିରନ୍ତର ଦୃଷ୍ଟି ରଖିଛନ୍ତି। ଦେଶରେ ଟିକାର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନେକ ଗୁଡିଏ ଟୁଇଟ୍ କରି ମନ୍ତ୍ରୀ କହିଛନ୍ତି ଯେ ଦେଶରେ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ୯ କୋଟିରୁ ଅଧିକ ଡୋଜ୍ କୋଭିଡ୍ -୧୯ ଟିକା ଦିଆଯାଇଛି। ସେ କହିଛନ୍ତି, ପ୍ରାୟ ୪ କୋଟି ୩୦ ଲକ୍ଷ ଟିକା ଟିକା ମହଜୁଦ ଅଛି ଏବଂ ଏହା ରାଜ୍ୟ ଗୁଡିକକୁ ପଠାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି।

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଦଳ ଆଧାରରେ ନିର୍ଦ୍ଦିଷ୍ଟ ରାଜ୍ୟମାନଙ୍କୁ ଟିକା ପଠାଯାଉଥିବା ଅଭିଯୋଗ କରି କୁମ୍ଭୀର କାନ୍ଦଣା କେବଳ ଏକ ପ୍ରହସନ ଏବଂ ନିଜର ଅକ୍ଷମତାକୁ ଲୁଚାଇବା ପାଇଁ ଏହା ଏକ ମିଥ୍ୟା ପ୍ରୟାସ।

ସେ କହିଛନ୍ତି, ମହାରାଷ୍ଟ୍ର ଏବଂ ରାଜସ୍ଥାନ କୋଭିଡ -୧୯ ଟିକା ଆବଣ୍ଟନରେ ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରୁ ଦୁଇଟି। ସେ କହିଛନ୍ତି, ଏହି ଦୁଇ ରାଜ୍ୟ ଅଣ-ବିଜେପି ଶାସିତ ରାଜ୍ୟ।