୧୨-୧୮ ବର୍ଗଙ୍କୁ ଦିଆଯିବ ମଡର୍ଣ୍ଣା ଟିକା, ମିଳିଲା ଅନୁମତି

  • ପ୍ୟାରିସ: କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ସାମ୍ନାକୁ ଆସିଛି। ଏଣିକି ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ୧୨-୧୮ ବର୍ଗର ପିଲାମାନଙ୍କୁ ଦିଆଯିବ। ଏନେଇ ଆଜି ୟୁରୋପୀୟ ମେଡିସିନ୍ସ ସଂସ୍ଥା ଅନୁମତି ପ୍ରଦାନ କରିଛି। ୟୁରୋପୀୟ ମେଡିସିନ ଏଜେନ୍ସି ମଡର୍ଣ୍ଣାର ବ୍ରାଣ୍ଡ ନାଁ ନେଇ କହିଛି, ଯେଉଁଭଳି ଭାବେ ୧୮ରୁ ଅଧିକ ବୟସ୍କଙ୍କୁ ସ୍ପିକେଭାକ୍ସ ଟିକା ଦିଆଯାଉଥିଲା, ଏବେ ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସମାନ ଭାବେ ଟିକାକରଣ କରାଯିବ। ସେମାନଙ୍କୁ ମଧ୍ୟ ସ୍ପିକେଭାକ୍ସ ଦିଆଯିବ। ସମସ୍ତଙ୍କୁ ଟିକାର ଦୁଇଟି ଡୋଜ୍ ନେବାକୁ ପଡ଼ିବ। ପ୍ରଥମ ଡୋଜ୍ ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ। ମେ’ ମାସରେ ଏଜେନ୍ସି ୧୨-୧୭ ବର୍ଷୀୟଙ୍କ ପାଇଁ ଫାଇଜର-ବାୟୋଏନଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା।
    ଏବେ ସ୍ପିକେଭାକ୍ସ ଦ୍ୱିତୀୟ ଟିକାଭାବେ ୟୁରୋପୀୟ ଦେଶରେ ବ୍ୟବହାର ହେବ। ଅନୁମତି ଦେବା ପୂର୍ବରୁ ଟିକାର ପରୀକ୍ଷା ୩,୭୩୨ ଜଣ ପିଲାଙ୍କୁ ନେଇ କରାଯାଇଥିଲା। ସମସ୍ତଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ରହିଥିଲା। ଟ୍ରାଏଲ ରିପୋର୍ଟରେ ସକାରାତ୍ମକ ଫଳାଫଳ ଆସିବାରୁ ସଂସ୍ଥା ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି। ପରୀକ୍ଷାବେଳେ ଜଣାପଡ଼ିଛି ଯେ, ୧୮ରୁ ଅଧିକ ବୟସ୍କଙ୍କ ଶରୀରରେ ଯେଉଁଭଳି ଭାବେ ଟିକା ନେବା ପରେ ଆଣ୍ଟିବଡି ସୃଷ୍ଟି ହେଉଥିଲା, ଠିକ ଅନୁରୂପ ରୋଗ ପ୍ରତିରୋଧକ ଶକ୍ତି ୧୨ରୁ ୧୭ ବର୍ଷ ବୟସ୍କଙ୍କ ମଧ୍ୟରେ ସୃଷ୍ଟି ହେଉଛି।