ଟିକାକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଗାମୀ ୧୬ରୁ ବୃହତ୍ତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ୧୬୨ଟି ଟିକାକରଣ କେନ୍ଦ୍ର ଚିହ୍ନଟ କରାଯାଇଛି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରିଛନ୍ତି। ଭିଡିଓ କନପରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ, ୧୬୨ଟି ଟିକାକରଣ କେନ୍ଦ୍ର ଭିତରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦ଟି ଟିକାକରଣ କେନ୍ଦ୍ର ଖୋଲାଯାଇଛି। ସେହିପରି କଟକ ଓ ପୁରୀରେ ୮କରି, କଳାହାଣ୍ଡି ଓ ରାୟଗଡ଼ାରେ ୭ କରି, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୬ କରି ଏବଂ ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ଭୁବନେଶ୍ୱର ବିଏମସି ଅଞ୍ଚଳରେ ୪ କରି ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଚିହ୍ନଟ ସରକାରୀ ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ। ରାଜ୍ୟ ସରକାର ଏନେଇ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।