ଜୁଲାଇ ଓ ଅଗଷ୍ଟରେ ଟିକାକରଣ ଗତି ବଢ଼ିବ : ଶାହ

ନୂଆଦିଲ୍ଲୀ: ଜୁଲାଇ ଓ ଅଗଷ୍ଟରେ କରୋନା ଟିକାକରଣ ଗତି ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଶାହ କହିଛନ୍ତି ଯେ, କରୋନା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭାରତ ଭଳି ଏକ ବଡ଼ ଜନବସତି ବିଶିଷ୍ଟ ଦେଶରେ ମାଗଣା ଟିକା ପ୍ରଦାନ କରାଯିବା ଛୋଟ କଥା ନୁହେଁ।

ଶାହ ଆହୁରି କହିଛନ୍ତି ଯେ, ଟିକାକରଣ କାର୍ଯ୍ୟକ୍ରମରେ ଭାରତ ପୂର୍ବରୁ ହିଁ ସର୍ବାଗ୍ରେ ରହିଛି। ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ସେମାନେ ଯଥାଶୀଘ୍ର ଦ୍ୱିତୀୟ ଡୋଜ୍ ନେଇ ନିଅନ୍ତୁ। ଉଭୟ ଡୋଜ୍ ନେବା ପରେ ହିଁ ଆମେ ନିଜକୁ କରୋନା ଦାଉରୁ ରକ୍ଷା କରିପାରିବୁ।