ଟିଆରଏଲ କ୍ରୋସାକି ପକ୍ଷରୁ ଟିକାକରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ସ୍ଥିତ ଟିଆରଏଲ କ୍ରେସାକି ରିଫ୍ରାକ୍ଟୋରିଜ୍ ଶ୍ରମିକ ସଂଘ ପକ୍ଷରୁ ବାଲ୍ୟଶ୍ରୀ ସିଏସଆର ପ୍ରୋଜେକ୍ଟ ଜରିଆରେ ଶିଶୁମାନଙ୍କ ରୋଗ ପ୍ରତିଶେଧକ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋଭିଡ-୧୯ର ଗାଇଡଲାଇନ ଅନୁସାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବର୍ଗର ଶିଶୁମାନଙ୍କୁ ଓପିଭି, ଆଇପିଭି, ଡିପିଟି, ବସିଜି, ଆଭି, ପିଭି, ଏମଆର ସହିତ ଭିଟାମିନ ଆଦି ପ୍ରଦାନ କରାଯାଇଥିଲା। ସେହିପରି ଗର୍ଭବତୀମାନଙ୍କୁ ଟିଟାନିସ- ଡେପଥିରିଆ(ଟିଡି) ଓ ପ୍ରସୂତିମାନଙ୍କୁ ବାସିଲସ କାଲମେଟ ଗୁରେନ(ବିସିଜି) ପରି ବିଭିନ୍ନ ପ୍ରକାର ଭିଟାମିନ ଔଷଧ ପ୍ରଦାନ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ବରୁଣ ସାଗର, ପ୍ରଭାତୀ ଭୋଇ, ଚଞ୍ଚଳା ଭଏଁଷାଲ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ନିର୍ବାହ କରୁଥିବା ବେଳେ ଶ୍ରମିକ ସଂଘର ସଭାପତି ସରୋଜ ପାତ୍ର, ସାଧାରଣ ସମ୍ପାଦକ ରାଜକିଶୋର ରାଉତ, ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ଶଶାଙ୍କ ଦୀକ୍ଷିତ, ଭାଷ୍କର ରାଣା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିବା ସହ ଟିକାକରଣ ପରି ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି।