ଉତ୍ତରାଖଣ୍ଡ ହିମସ୍ଖଳନ: ୩୪ ମୃତଦେହ ଉଦ୍ଧାର

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଆକସ୍ମିକ ବନ୍ୟାଯୋଗୁଁ ଏପର୍ଯ୍ୟନ୍ତ ୩୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତପୋବନ ଓ ଋଷିଗଙ୍ଗା ଶକ୍ତି ପ୍ରକଳ୍ପସ୍ଥଳରୁ ମଙ୍ଗଳବାର ୬ଟି ମୃତଦେହ ଉଦ୍ଧାର ପରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ୧୭୦ ଜଣରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ତପୋବନ ଟନେଲରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ବେଳେ ଅନ୍ୟଏକ ଟନେଲରେ କେତେକ ଶ୍ରମିକ ଫଶି ରହିଥିବା ସରକାରଙ୍କ ପକ୍ଷରୁ ବୁଧବାର କୁହାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବୁଧବାର ଏକ ବୈଠକ ବସି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏନଟିପିସି ଅଧିକାରୀଙ୍କୁ ସଠିକ ସୂଚନା ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ବିଶେଷଜ୍ଞ ଇଞ୍ଜିନିୟରଙ୍କୁ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗରୱାଲ କମିଶନର ରବିନାଥ ରମଣ କହିଛନ୍ତି, ୧୮୦ ମିଟର ଟନେଲ ଭିତରେ ପ୍ରାୟ ୩୪ଜଣ ଶ୍ରମିକ ଫଶି ରହିଥିବା ଅନୁମାନ କରାଯାଉଥିଲା। ଏହାକୁ ଖେ।ଳାଯିବା ବେଳେ ଏନଟିପିସ କର୍ତ୍ତୃପକ୍ଷ ଜଣାଇଲେ ଯେ ଫିଲଟର ଟନେଲର ୧୨ମିଟର ତଳେ ଥିବା ଅଦିତି ଟନେଲରେ ଆଉ କିଛି ଶ୍ରମିକ ଫଶି ରହିଛନ୍ତି।

ସାଟେଲାଇଟ ଫଟୋ ନେଉଥିବା ପ୍ଲାନେଟ ଲ୍ୟାବସ ପକ୍ଷରୁ ଚାମୋଲିରେ ହିମସ୍ଖଳନ ପୂର୍ବରୁ ଏବଂ ୨୭ ମିନିଟ ପରେ ଦୁଇଟି ଫଟୋ ସେୟାର କରାଯାଇଛି। ଏଥିରୁ ଦେଖାଯାଇଛି ହିମସ୍ଖଳନ ଯୋଗୁଁ ନଦୀରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା। ପାଣି ସହିତ କିଛି ଆବର୍ଜନା ଭାସି ଉଠିଥିଲା। ହିମସ୍ଖଳନ ଯୋଗୁଁ ଋଷିଗଙ୍ଗା ଏବଂ ଏନଟିପିସି ଶକ୍ତି ପ୍ରକଳ୍ପ ସବୁଠାରୁ ଅଧିିକ କ୍ଷତିଗ୍ରସ୍ତ ହୋଇଛି।