ଜିଲ୍ଲାପାଳଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବଗଠିତ ଉତ୍କଳ ସମ୍ମିିଳନୀ ଓ ନବରଙ୍ଗପୁର ଶାଖାର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଭାଷା, ସଂସ୍କୃତି ଓ ପରମ୍ପରା ତଥା ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା । ଦୀର୍ଘ ୧୦ଟି ବିଷୟ ସମ୍ବଳିତ ସମସ୍ୟା ଭିତରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ, ବନ ସୁରକ୍ଷା ସହ ନଦୀ ନାଳ, ଜଙ୍ଗଲ ଜାତ ପ୍ରାକୃତିକ ସମ୍ପଦର ହରିଲୁଟ ଓ ଅନୁପ୍ରବେଶ ଉପରେ ଗୁରୁତ୍ୱ ଦେଇ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଥିଲା । ସର୍ବୋପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ସୁଷମ ବଣ୍ଟନ ହୋଇ ନ ପାରିବା ସଦସ୍ୟଙ୍କୁ ମ୍ରିୟମାଣ କରିଥିବାରୁ ପ୍ରାଥମିକସ୍ତରରେ ଏହାର ସୁଧାର ଆଣିବାକୁ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ସଂଲଗ୍ନ ସମାଧାନ ପାଇଁ ସଂଗଠନ ତରଫରୁ ସବୁ ସମୟରେ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ଆଜିର ଏହି ସାକ୍ଷାତକାରରେ ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ସଭାପତି ଜଗନ୍ନାଥ ମହାପାତ୍ର, ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଡା. ବିଜୟ କୁମାର ମିଶ୍ର, ସମ୍ପାଦକ ଦୁର୍ଗା ପ୍ରସାଦ ପାଢ଼ୀ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ର ଓ ବିରେନ୍ଦ୍ର ମୋହନ ନାୟକ ଯୋଗ ଦେଇଥିଲେ । ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମକୁ ବିସ୍ତାର କରିବା ସହ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଚେଷ୍ଟା କରାଯିବ ବୋଲି ସଂଗଠନର ସଭାପତି ଜଗନ୍ନାଥ ମହାପାତ୍ର କହିଥିଲେ ।