ନବରଙ୍ଗପୁର,ଏନ୍ଏନ୍ଏସ୍: ଉତ୍କଳ ସମ୍ମିଳନୀ ପକ୍ଷରୁ ଆଗାମୀ ୨୫ ତାରିଖରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଭିନ୍ନ ବ୍ଲକ ସଂଗଠକ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନେଇ ଜିଲ୍ଲା ସଭାପତି ବିଶଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ପରାମର୍ଶକ୍ରମେ ଆବାହକ ବରିଷ୍ଠ ସାହିତ୍ୟିକ, ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବୁଲୁ ହୋତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଗୁରୁକୃପା ଏଜୁକେସନାଲ୍ ଟ୍ରଷ୍ଟର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ସମ୍ମିଳନୀର ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଆନୁଷ୍ଠାନିକ ଭାବେ ପୂର୍ବ ପ୍ରସ୍ତୁତିକୁ ନେଇ ଏକ ବୈଠକ ସ୍ଥାନୀୟ ଗୁରୁକୃପା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିଲା । ଏଥିରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ସମ୍ମାନୀତ ଗାଳ୍ପିକ, ଉତ୍କଳ ସମ୍ମିଳନୀ ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିବାବେଳେ ସମ୍ମିଳନୀ ସହ ସମ୍ପାଦିକା ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା, ନବରଙ୍ଗପୁର ବ୍ଲକ ସଭାନେତ୍ରୀ ସାହିତ୍ୟିକା ସ୍ୱର୍ଣଲତା ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଭଞ୍ଜନ ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଗୁରୁଦାସୀ ମଣ୍ଡଳ, ରାଇଘର ବ୍ଲକ୍ ସଭାନେତ୍ରୀ ସ୍ୱାଗତିକା ବାହିନୀପତି, ଉମରକୋଟ ବ୍ଲକ ସଭାନେତ୍ରୀ ସୁଶ୍ରୀ ଚନ୍ଦନା ମଲ୍ଲିକ ଓ ଚନ୍ଦାହାଣ୍ଡି ବ୍ଲକ ସଭାପତି ସନ୍ତୋଷ କୁମାର ଖମାରୀ ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ଚନ୍ଦନା ମଲ୍ଲିକ ପରିଚାଳନା କରିଥିବାବେଳେ ଗୁରୁକୃପା ଏଜୁକେସନାଲ୍ ଟ୍ରଷ୍ଟର ସଦସ୍ୟମାନେ ସହଯୋଗ କରିଥିଲେ । ଉତ୍କଳ ସମ୍ମିଳନୀର ଜିଲ୍ଲା ସଂପାଦକ ଦୁର୍ଗା ପ୍ରସାଦ ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଞ୍ଚଳିକ ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ସମସ୍ୟା ତଥା ସୀମାବର୍ତ୍ତୀ ଅଂଚଳର ବିକାଶକୁ ନେଇ ପଟ୍ଟନାୟକ ମତ ରଖିଥିବାବେଳେ ଜିଲ୍ଲା ପ୍ରଶାସନ ସମ୍ମିଳନୀର ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଉଥିବା କଥା ସଂପାଦକ ଶ୍ରୀ ପାଢ଼ୀ ସ୍ପଷ୍ଟୀକରଣ ରଖିଥିଲେ ।