ଭୁବନେଶ୍ୱର, ଏନ୍ଏନ୍ଏସ୍: ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ)ର ମହାନିର୍ଦ୍ଦେଶିକା ଭାବେ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ ନିଯୁକ୍ତି ପାଇଛନ୍ତି। ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା। ଉଷାଙ୍କ ପୂର୍ବରୁ ଆଇପିଏସ୍ ଅଫିସର ରାକେଶ ଅସ୍ଥାନା ଏହି ପଦରେ ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସଏଫ୍) ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ସକାଳେ ଅସ୍ଥାନା ବିଏସଏଫ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା କୁହାଯାଉଛି।
ଏହାପୂର୍ବରୁ ଶ୍ରୀମତୀ ପାଢ଼ୀଙ୍କୁ ପବନହଂସ ଲିମିଟେଡ(ପିଏଚଏଲ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଥିଲା। ୧୯୯୬ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଉଷା ଓଡ଼ିଶା ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ପାଢ଼ୀ ୨୦୧୫ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ତାଙ୍କ ସ୍ୱାମୀ ଆଇଏଏସ୍ ଅରବିନ୍ଦ ପାଢ଼ୀ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଉଷା ପାଢ଼ୀଙ୍କ କାର୍ଯ୍ୟକାଳ ମେ’ ୨୦୨୦ରେ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।