ମେକ୍ସିକୋର ହସ୍‌ପିଟାଲରେ ପ୍ରବେଶ କଲା ବନ୍ୟା ଜଳ, ୧୬ ଜଣ ରୋଗୀ ମୃତ

ମେକ୍ସିକୋ,ଏଜେନ୍ସି: କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି। ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ମଙ୍ଗଳବାର ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ପ୍ରତିଷ୍ଠାନ ପକ୍ଷରୁ ଏହା କୁହାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବନ୍ୟା ପରିସ୍ଥିତି ଉପୁଜିଥିଲା। ବନ୍ୟା ଯୋଗୁଁ ହସ୍ପିଟାଲରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗରୁତର ହୋଇଛନ୍ତି। ମେକ୍ସିକୋ ସହର ଠାରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ଟୁଲାରେ ଏଭଳି ଅପ୍ରୀତିକର ଅଘଟଣ ଘଟିଛି। ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ପ୍ରଶାସନର ଜରୁରୀକାଳୀନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ରୋଗୀମାନଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ, ଏଠାରେ ୫୬ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଥିଲା। ଏମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋଭିଡ ରୋଗୀ ଥିଲେ। ବନ୍ୟାରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।