ସିଭିଲ୍ ସର୍ଭିସ ପରୀକ୍ଷା ଘୁଞ୍ଚାଇବା ମାମଲା: କେନ୍ଦ୍ର ଓ ୟୁପିଏସ୍‌ସିକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍‌-୧୯ ମହାମାରୀ ଓ ପ୍ରଳୟଙ୍କରୀ ବନ୍ୟା ଦୃଷ୍ଟିରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରୀକ୍ଷାର୍ଥୀ। ଜଷ୍ଟିସ୍ ଏଏମ୍ ଖାନ୍‌ୱିଲ୍‌କର ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଓ ୟୁପିଏସ୍‌ସି (ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ)କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସିଭିଲ୍ ସର୍ଭିସ୍ ୨୦୨୦କୁ ଅନ୍ୟୂନ ୨/୩ ମାସ ଘୁଞ୍ଚାଇବା ପାଇଁ ପ୍ରାୟ ୨୦ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଅକ୍ଟୋବର ୪ରେ ସିଭିଲ୍ ସର୍ଭିସ୍ (ପ୍ରିଲିମ) ହେବାର ସମ୍ଭାବନା ଅଛି। ପରୀକ୍ଷାର୍ଥୀମାନେ ଉଲ୍ଲେଖ କରିଛନ୍ତି ଯେ ଦେଶରେ କୋଭିଡ୍‌-୧୯ ଚରମ ସୀମାକୁ ଛୁଇଁଥିବା ବେଳେ ସିଭିଲ୍ ସର୍ଭିସ୍ ଆୟୋଜନ କରିବା ଅର୍ଥ ପରୀକ୍ଷାର୍ଥୀଙ୍କୁ ମୃତ୍ୟୁଯନ୍ତାକୁ ଠେଲିଦେବା। ପିଟିସନ୍‌ରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସିଭିଲ୍ ସର୍ଭିସ୍ ପରୀକ୍ଷା ଏକ ରିକ୍ରୁଟ୍‌ମେଣ୍ଟ ପରୀକ୍ଷା ହୋଇଥିବାରୁ ତା’କୁ ଘୁଞ୍ଚାଇଦେଲେ କିଛି ଅସୁବିଧା ସୃଷ୍ଟି ହେବନାହିଁ। ଏହାଛଡ଼ା ମହାମାରୀ ଭିତରେ ୟୁପିଏସ୍‌ସି ପକ୍ଷରୁ ପରୀକ୍ଷାକେନ୍ଦ୍ର ବୃଦ୍ଧି କରାଯାଇନି। ଯାତ୍ରୀବାହୀ ବସ୍ ଚଳାଚଳ ସ୍ୱାଭାବିକ ହୋଇ ନଥିବାରୁ ଗ୍ରାମାଞ୍ଚଳର ପରୀକ୍ଷାର୍ଥୀମାନେ ୩୦୦/୪୦୦ କିମି ଯାତ୍ରା କରି ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିବା ସହଜ ହେବନାହିଁ।